18th July 2024
ପରମହଂସ ଶ୍ରୀ ନିଗମାନନ୍ଦ : ଭାଗ – ୧୦
(ପୂର୍ବ ପ୍ରକାଶିତ ଉତ୍ତାରୁ)
ଗୁରୁ ଅନୁସନ୍ଧାନ
ନଳିନୀକାନ୍ତ ପୂର୍ଣ୍ଣାନନ୍ଦ ସ୍ୱାମୀଙ୍କ ସଂସ୍ପର୍ଶରେ ଆସିବାରୁ ସ୍ତ୍ରୀଙ୍କର ଚାକ୍ଷୁଷ ଦର୍ଶନ ଲାଭ କରିବାର ଆଶା ମନ ମଧ୍ୟରେ ସଞ୍ଚାର ହେଲା । ସେ ବୁଝିଲେ ଯେ, ଗୁରୁ ନହେଲେ କିଛି ହେବ ନାହିଁ । ତେଣୁ ଗୁରୁ ପାଇବା ନିମିତ୍ତ ସେ ବ୍ୟାକୁଳ ହୋଇପଡିଲେ। କିନ୍ତୁ କୌଣସିଠାରେ ଗୁରୁଙ୍କର ସନ୍ଧାନ ମିଳିଲା ନାହିଁ ।
ପିତା ଭୁବନମୋହନ ପୁତ୍ରର ବ୍ୟାକୁଳତା ଦେଖି କୁଳଗୁରୁଙ୍କ ନିକଟରୁ ମନ୍ତ୍ର ନେବାକୁ କହିଲେ, କିନ୍ତୁ ନଳିନୀକାନ୍ତଙ୍କର କୁଳଗୁରୁଙ୍କଠାରେ ଆଦୌ ବିଶ୍ବାସ ନଥିଲା । ସେ କାତରପ୍ରାଣରେ ଓ ବ୍ୟାକୁଳ କଣ୍ଠରେ ଗୁରୁ ଲାଭ ନିମିତ୍ତ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିବାକୁ ଲାଗିଲେ ।
ମନ୍ତ୍ର ପ୍ରାପ୍ତି
ଦିନେ ହଠାତ୍ ଗଭୀର ରାତ୍ରିରେ ନଳିନୀକାନ୍ତଙ୍କ ଶୟନକକ୍ଷ ଆଲୋକମୟ ହୋଇ ଉଠିଲା । ସେହି ଆଲୋକର ଝଲକରେ ତାଙ୍କ ନିଦ୍ରାଭଙ୍ଗ ହେବାରୁ ସେ ଦେଖିପାରିଲେ ଯେ, ସମ୍ମୁଖରେ ଜଣେ ଜଟାଜୁଟ ବିମଣ୍ଡିତ ଦୀର୍ଘକାୟ ସନ୍ନ୍ୟାସୀ ଦଣ୍ତାୟମାନ । ସସ୍ମିତ ମୁଖମଣ୍ଡଳ, ଦେହପ୍ରଭାରେ ଚତୁର୍ଦ୍ଦିଗ ଆଲୋକିତ ହୋଇଉଠିଛି ।
ନଳିନୀକାନ୍ତ ଶୀଘ୍ର ଶଯ୍ୟା ତ୍ୟାଗ କରି ସନ୍ନ୍ୟାସୀଙ୍କ ଚରଣତଳେ ପ୍ରଣାମ କଲେ। ସନ୍ନ୍ୟାସୀ ସସ୍ନେହ ଗମ୍ଭୀର ସ୍ଵରରେ କହିଲେ, “ବତ୍ସ, ତୁମେ ମନ୍ତ୍ର ଗ୍ରହଣ ନିମିତ୍ତ ବ୍ୟାକୁଳ ହୋଇପଡିଛ । ମୁଁ ତୁମ ପାଇଁ ମନ୍ତ୍ର ଆଣିଛି, ଗ୍ରହଣ କର ।” ଏହା କହି ଗୋଟିଏ ବିଲ୍ଵ ପତ୍ର ନଳିନୀକାନ୍ତଙ୍କ ହାତକୁ ବଢ଼ାଇଦେଲେ ।
ନଳିନୀକାନ୍ତ ଯନ୍ତ୍ର ଚାଳିତ ପୁତ୍ତଳିକା ପରି ପତ୍ରଟିକୁ ଗ୍ରହଣ କଲେ । ପ୍ରଦୀପ ଜାଳି ଦେଖିଲେ ଯେ, ଗୋଟିଏ ବିଲ୍ୱ ପତ୍ରରେ ରକ୍ତ ଚନ୍ଦନ ଦ୍ଵାରା ଏକାକ୍ଷରୀ ମନ୍ତ୍ର ଲେଖା ଅଛି । ଏହା କି ମନ୍ତ୍ର, କିପରି ଜପିବାକୁ ହେବ, ତାହା ଜାଣିବା ନିମିତ୍ତ ମନ୍ତ୍ରଦାତାଙ୍କ ଆଡ଼କୁ ଦୃଷ୍ଟି ନିକ୍ଷେପ କଲେ । ଦେଖିଲେ ଯେ ସେ ମୂର୍ତ୍ତି ଅନ୍ତର୍ନିହିତ ହୋଇଯାଇଛନ୍ତି, ଗୃହ ଶୂନ୍ୟ । ସେ ପାଗଳଙ୍କ ପରି ଘର ବାହାର ତନ୍ନ ତନ୍ନ କରି ଖୋଜିଲେ; କିନ୍ତୁ ସନ୍ନ୍ୟାସଙ୍କର କୌଣସି ସନ୍ଧାନ ପାଇଲେନାହିଁ । ଦୁଃଖରେ ଅଧୀର ହୋଇ ତତ୍ପରେ ସେ ବାଳକ ପରି କ୍ରନ୍ଦନ କରିବାକୁ ଲାଗିଲେ – ‘ହାୟ କଅଣ କଲି, କାହିଁକି ବା ପ୍ରଦୀପ ଜାଳିବାକୁ ଗଲି ? ପ୍ରଦୀପ ନଜାଳି ତାଙ୍କୁ ପଚାରିଥିଲେ ତ ହୋଇଥାନ୍ତା।’ ଏପରି ଅନୁତାପରେ ରଜନୀ ଅତିବାହିତ ହୋଇଗଲା । ନଳିନୀକାନ୍ତ ମନେ ମନେ ଭାବିଲେ, “ଏହା କଣ ସ୍ବପ୍ନ ? ନା, ସ୍ଵପ୍ନରେ ବିଲ୍ଵପତ୍ର ଆସିବ ବା କୁଆଡୁ ?” ନଳିନୀକାନ୍ତ ବଡ଼ ସନ୍ଦେହରେ ପଡ଼ିଲେ ।
ମନ୍ତ୍ରର ତଥ୍ୟାନୁସନ୍ଧାନ
ପୂର୍ବବର୍ଣ୍ଣିତ ଘଟଣାକୁ ସ୍ବପ୍ନ ବୋଲି ସେ ଆଦୌ ବିଶ୍ବାସ କରିପାରିଲେ ନାହିଁ । ତାଙ୍କ ମନ ଅସ୍ଥିର ହୋଇଉଠିଲା। ସେ ମନ୍ତ୍ରର ତଥ୍ୟାନୁସନ୍ଧାନ ନିମିତ୍ତ ବଙ୍ଗର ବଡ଼ ବଡ଼ ପଣ୍ଡିତ ମାନଙ୍କ ପାଖକୁ ଗଲେ । ସମସ୍ତେ କହିଲେ,”ମନ୍ତ୍ର ଅଶୁଦ୍ଧ, ଜପ ନିଷ୍ଫଳ । ସମୟ ସମୟରେ ସୈତାନ୍ ମାନେ ମଧ୍ୟ ଏମିତି ମନ୍ତ୍ର ଦେଇଥାନ୍ତି । “କିନ୍ତୁ ଏଥିରେ ନଳିନୀକାନ୍ତଙ୍କ ମନ ମାନିଲା ନାହିଁ । ସେ ଏହି ଦୈବୀ ଘଟଣାର ପ୍ରକୃତ ମର୍ମ ଜାଣିବା ନିମିତ୍ତ କିଛି ଦିନ ପାଇଁ କାର୍ଯ୍ୟରୁ ଅବସର ନେଇ କଲିକତା ଯାତ୍ରା କଲେ ।
ଅଦ୍ଭୁତ ସାଧୁ
କଲିକତା ଆସି ପ୍ରଥମେ ବେଲୁର ମଠ ଓ ପରେ ଚଟ୍ଟଗ୍ରାମ ଅନ୍ତର୍ଗତ ଜଗତ୍ସୀର ପୂର୍ଣ୍ଣାନନ୍ଦ ସ୍ଵାମୀଙ୍କ ନିକଟକୁ ଗମନ କଲେ; କିନ୍ତୁ କୌଣସି ଠାରେ ତାଙ୍କ ପ୍ରାଣର ପିପାସା ମେଣ୍ଟିଲା ନାହିଁ ।
ଦିନେ ସେ ଶୁଣିଲେ ଯେ, ବାରାକପୁର ନିକଟସ୍ଥ ଚାଣକ ନାମକ ଗ୍ରାମକୁ ଜଣେ ସାଧୁ ଆସିଛନ୍ତି । ନଳିନୀକାନ୍ତ କାଳବିଳମ୍ବ ନ କରି ତାଙ୍କ ସହିତ ସାକ୍ଷାତ୍ କରିବାକୁ ଗଲେ । ସେଠାରେ ଯାହା ଦେଖିଲେ, ସେଥିରେ ତାଙ୍କର ବିସ୍ମୟର ସୀମା ରହିଲା ନାହିଁ ।
ଗୋଟିଏ ଗଛ ମୂଳରେ ସାଧୁଜୀ ଆସନ ଜମାଇ ବସିଛନ୍ତି । ମୁଖମଣ୍ଡଳ ପ୍ରସନ୍ନ ଓ ଗମ୍ଭୀର, ଶରୀର ବଳିଷ୍ଠ ଓ ତେଜପୂର୍ଣ୍ଣ । ଦେହର କାନ୍ତି ବିଶୁଦ୍ଧ ହିଙ୍ଗୁଳ ସଦୃଶ। ସାଧୁଙ୍କ ସେବାରେ କେତେ ଗୁଡ଼ିଏ ଯୁବତୀ ସ୍ତ୍ରୀ ବ୍ୟସ୍ତ ଥିବାର ନଳିନୀକାନ୍ତ ଦେଖିପାରିଲେ । ସେମାନଙ୍କ ମଧ୍ୟରୁ କିଏ ଭିକ୍ଷା କରି ଆଣୁଛି, କିଏ ରନ୍ଧନ କାର୍ଯ୍ୟରେ ଲାଗିଛି, କିଏ ବା ସାଧୁଙ୍କ ଅଙ୍ଗରେ ତୈଳ ମର୍ଦ୍ଦନ କରୁଛି । ସାଧୁ କାହାକୁ କିଛି ଆଦେଶ କରୁନାହାନ୍ତି; ସମସ୍ତେ ଯନ୍ତ୍ର ଚାଳିତ ପରି ନିଜ ନିଜ କାର୍ଯ୍ୟରେ ଲାଗିଛନ୍ତି। ସାଧୁଙ୍କର କେହି ପୁରୁଷ ଶିଷ୍ୟ ନାହାଁନ୍ତି । ନଳିନୀକାନ୍ତ ଏ ବ୍ୟପାରର ରହସ୍ୟ କିଛି ବୁଝିପାରିଲେ ନାହିଁ। ଜଣେ ସାଧକଙ୍କର ଯଦି ଏତେ ଗୁଡ଼ିଏ ସ୍ତ୍ରୀ ଲୋକ ଆବଶ୍ୟକ ହୁଅନ୍ତି, ଏହା ବ୍ଯଭିଚାର ଭିନ୍ନ ଆଉ କଣ ହୋଇପାରେ ? ସେ ନାସିକା କୁଞ୍ଚନ କରି ସେଠାରୁ ଲେଉଟି ଆସିଲେ ।
କେବଳ ନଳିନୀକାନ୍ତ କାହିଁକି, ଯେ କୌଣସି ସାଧାରଣ ଗୃହସ୍ଥ ମଧ୍ୟ ଏପରି ଘଟଣାରେ ତାଙ୍କ ପରି ନାସିକା କୁଞ୍ଚାନ କରିଥାନ୍ତେ। ସାଧୁମାନେ ମନ ରାଜ୍ୟର ଯେଉଁ ସ୍ତରରେ ବିଚରଣ କରନ୍ତି, ସାଧାରଣ ଲୋକେ ତାହାର ଅତି ନିମ୍ନ ସ୍ତରରେ ଥିବାରୁ ଏବଂ ସେମାନେ ସାଧୁ ସନ୍ୟାସୀମାନଙ୍କର ଦୈନନ୍ଦିନ କାର୍ଯ୍ୟ କଳାପ ସାଂସାରିକ ବିଚାର ବୁଦ୍ଧି ଦ୍ଵାରା ନିଜ ସ୍ତରରୁ ବିଚାର କରୁଥିବାରୁ ଅନେକ ସମୟରେ ମାରାତ୍ମକ ଭୁଲ ମାନ କରି ବସନ୍ତି। ନଳିନୀକାନ୍ତଙ୍କର ମଧ୍ୟ ତଦ୍ରୂପ ଭୁଲ ହୋଇଥିଲା। କହିବା ବାହୁଲ୍ୟ ଯେ, ପ୍ରେମସିଦ୍ଧି ପରେ ଶ୍ରୀ ଶ୍ରୀ ଠାକୁର ବୁଝିପାରିଲେ ଯେ, ଏହି ସାଧୁ ଜଣେ ଅସାଧାରଣ ଶକ୍ତି ସମ୍ପୂର୍ଣ୍ଣ ମହାପୁରୁଷ ।
କାଶୀ ଗମନ
ନଳିନୀକାନ୍ତ ଉକ୍ତ ସାଧୁଙ୍କ ପ୍ରତି ବିତଶ୍ରଦ୍ଧ ହୋଇ ଫେରିଆସି ମନ୍ତ୍ରର ତଥ୍ୟ ଅନୁସନ୍ଧାନ ନିମିତ୍ତ କାଶୀ ଗଲେ । ସେଠାରେ କେଦାର ଘାଟରେ ଥିବା ଜଗନ୍ମୋହନ ତର୍କାଳଙ୍କରଙ୍କ ଶିଷ୍ୟ ମାନଙ୍କ ସହ ବହୁ ଆଲୋଚନା ପରେ ମଧ୍ୟ ତାଙ୍କର ଆଶା ପୂର୍ଣ୍ଣ ହେବାର କୌଣସି ସମ୍ଭାବନା ଦେଖିଲେ ନାହିଁ । ଅଧିକନ୍ତୁ ନାନା ଲୋକ ନାନା କଥା କହିବାରୁ ସେ ମନ୍ତ୍ର ସାଧନ ପ୍ରଣାଳୀ ଅବଗତ ହେବା ବିଷୟରେ ସମ୍ପୂର୍ଣ୍ଣ ନିରାଶ ହୋଇ ପଡିଲେ । ଏ ଜୀବନରେ ପ୍ରିୟତମା ପତ୍ନୀଙ୍କ ସହିତ ସାକ୍ଷାତର କୌଣସି ସମ୍ଭାବନା ନଦେଖି ତାଙ୍କର ମନ ବିଷାଦଗ୍ରସ୍ତ ହୋଇପଡ଼ିଲା । ସେ ସ୍ଥିର କଲେ ଯେ, ଯଦି ଏ ଜୀବନରେ ପରଲୋକ ତତ୍ତ୍ଵ ସମ୍ବନ୍ଧୀୟ ଜ୍ଞାନଲାଭ ହୋଇ ନପାରିଲା, ତେବେ ଜୀବନ ଧାରଣ କରିବା ବୃଥା ।
ଆତ୍ମହତ୍ୟା ସଂକଳ୍ପ
ସୁତରାଂ ଆତ୍ମହତ୍ୟା ହିଁ ଏହି ଜ୍ଵାଳା ନିର୍ବାପନ କରିବାର ଏକମାତ୍ର ପନ୍ଥା।ଆତ୍ମହତ୍ୟା ଜନିତ ମହାପାପର ଫଳ ହୁଏତ ପରଲୋକରେ ଭୋଗ କରିବାକୁ ପଡିପାରେ; କିନ୍ତୁ ସେ ଭୋଗ କି ପ୍ରକାର ଓ ତାହାର ସ୍ୱରୂପ ବା କଣ, ତାହା ସେ ଜାଣନ୍ତି ନାହିଁ । ସୁତରାଂ ଆତ୍ମହତ୍ୟା କରିବାକୁ ସ୍ଥିର କରି ଲଛମନଝୋଲାକୁ ଯାଇ ନିଖିଳ ପାପବିନାଶିନୀ ଗଙ୍ଗା ଗର୍ଭରେ ଝାସ ଦେବା ହିଁ ଶ୍ରେୟସ୍କର ବୋଲି ସ୍ଥିର କରି ନଳିନୀକାନ୍ତ ଶୟନ କଲେ ।
ଅଦୃଶ୍ୟ ସହାୟ
ଗଭୀର ରାତ୍ରିରେ ସ୍ଵପ୍ନରେ ଗୋଟିଏ ବୃଦ୍ଧ ବ୍ରାହ୍ମଣ ମୂର୍ତ୍ତିର ଆବିର୍ଭାବ ହେଲା । ବ୍ରାହ୍ମଣ ନଳିନୀକାନ୍ତଙ୍କ ଦେହରେ ହାତ ବୁଲାଉ କହିଲେ, “ବତ୍ସ, ତୁମେ ଗୁରୁଙ୍କୁ କେଉଁଠାରେ ଖୋଜି ବୁଲୁଛ ? ସେ ତ ତୁମ ଘର ନିକଟ ବୀରଭୂମି ଜିଲ୍ଲାର ଚଣ୍ଡୀପୁର ନାମକ ସ୍ଥାନରେ ଅଛନ୍ତି । ସେଠାରେ ତାରାପୀଠ ବିଦ୍ୟମାନ । ସେହି ତାରାପୀଠରେ ବାମାକ୍ଷେପା ନାମକ ପ୍ରସିଦ୍ଧ ତାନ୍ତ୍ରିକ ସାଧୁ ତୁମକୁ ତାନ୍ତ୍ରିକ ସାଧନା ପ୍ରଦାନ କରିବାରେ କ୍ଷମ ଅଟନ୍ତି । ତୁମେ ସେଠାକୁ ଯାଇ ତାଙ୍କର ଶରଣାପନ୍ନ ହୁଅ । ତାଙ୍କ କୃପା ହେଲେ ତୁମେ ଅଭିଷ୍ଟ ବସ୍ତୁ ଲାଭ କରିପାରିବ ।” ଏହା କହି ବୃଦ୍ଧ ବ୍ରାହ୍ମଣ ତାଙ୍କର ଆଉ ଅନେକ ପ୍ରଶ୍ନର ମୀମାଂସା କରିଦେଲେ। ବୃଦ୍ଧଙ୍କର ଶୀତଳ କରସ୍ପର୍ଶରେ ନଳିନୀକାନ୍ତଙ୍କର କ୍ଷୁଧା ତୃଷା ଅନ୍ତର୍ହିତ ହୋଇଗଲା । ପରଦିନ ସେ ବୀରଭୂମି ଅଭିମୁଖରେ ଯାତ୍ରା କଲେ ।
(କ୍ରମଶଃ)
ପରମହଂସ ଶ୍ରୀ ଶ୍ରୀ ଠାକୁର ନିଗମାନନ୍ଦ
ଲେଖକ – ୰ ବନମାଳୀ ଦାସ ଓ ଦୁର୍ଗାଚରଣ ମହାନ୍ତି