ସ୍ବୟଂ ଆରକ୍ଷୀ ଅଧୀକ୍ଷକଙ୍କ ପୁତ୍ରମଣି ଆକଣ୍ଠ ସୁରା ପାନ କରି ଟଳ ମଳ ଅବସ୍ଥାରେ ଦିନେ ଆସି ଘରେ ପହଞ୍ଚିଲେ। ଦିନେ କଣ, ଏହା ତାଙ୍କର ନିତି ଦିନିଆ ଘଟଣା। ବାବୁଙ୍କ ନାମ ବଳବନ୍ତ ରାଏ ।
ସ୍ବୟଂ ଆରକ୍ଷୀ ଅଧୀକ୍ଷକଙ୍କ ପୁତ୍ର ଯେତେବେଳେ କୋଉ ଜ୍ୟୋତିଷର ସାହସ ହେବ ଦୁର୍ବଳିଆ ନାମ କରଣ କରିବ ?
ବଳବନ୍ତ ରାଏ ବାବୁଙ୍କ ଉଚ୍ଚ ବଳିଷ୍ଠ କୃଷ୍ଣକାୟ ହୃଷ୍ଟ ପୁଷ୍ଟ ଚେହେରା ସାଙ୍ଗକୁ ଚଉଡା ମୁଖମଣ୍ଡଳରେ ବାଘୁଆ ନିଶ, ରକ୍ତବର୍ଣ୍ଣର ଚକ୍ଷୁ , ପୁରା ତ ଆରକ୍ଷୀ ଅଧିକ୍ଷକ ସାହେବଙ୍କ କାର୍ବନ କପି । ସହରରେ ବାବୁଙ୍କୁ ଆରକ୍ଷୀ ଅଧିକ୍ଷକଙ୍କ ଡୁପ୍ଲିକେଟ ବୋଲି କହନ୍ତି ।
ସ୍ବୟଂ ଆରକ୍ଷୀ ଅଧିକ୍ଷକଙ୍କ ପୁଅ ଯେତେବେଳେ ସିଏ କଣ ମହୁଲି ପାନ କରିଥିବେ, ନାମି ଦାମି ସୁରା ପାନ କରିବେ ନା। ତାଙ୍କ ପାଇଁ ସ୍ବତନ୍ତ୍ର ଦାମିକା କାଚ ନିର୍ମିତ ସୁରାପାତ୍ର ସହିତ ଉଚ୍ଚ ଦାମ୍, ଉଚ୍ଚ ମାନ ସୁରା ସହିତ ଉନ୍ନତ ମାନର ଚାଖଣା ନିହାତି ଦରକାର, ଚାଖଣାକୁ ବି ଡାଇଟିସିଏନ୍ ଯାଞ୍ଚ କରି ଥିବେ ବୋଧହୁଏ, ବାର୍ ବାଲା ବାବୁଙ୍କୁ ଦେଖି ଦେଲେ ଥର ହର, ବାବୁଙ୍କ ପାଇଁ ସ୍ବତନ୍ତ୍ର ପ୍ରସ୍ତୁତି ସଙ୍ଗେ ସଙ୍ଗେ ଆରମ୍ଭ ହୋଇଯିବ, ସ୍ବତନ୍ତ୍ର ପ୍ରକୋଷ୍ଠରେ ସ୍ବତନ୍ତ୍ର ସାଜସଜ୍ଜା ସଙ୍ଗେ ସଙ୍ଗେ ଆରମ୍ଭ ହୋଇଯିବ, କ୍ଷୀଣ ରଙ୍ଗିନ୍ ଆଲୋକର ସମ୍ଭାର ସହ ସଙ୍ଗେ ସଙ୍ଗେ ଝଙ୍କୃତ ହୋଇ ଉଠିବ ରୋମାଣ୍ଟିକ ମ୍ୟୁଜିକର ମଧୁର ମୂର୍ଛନା ।
ଆଉ ରୋମାଣ୍ଟିକ ସଙ୍ଗୀତର ତାଳେ ତାଳେ ଲାସ୍ୟମୟୀ ରୂପସୀ ନର୍ତ୍ତକୀ ନୂପୁରର ଝୁମ୍ ଝୁମ୍ ଶବ୍ଦରେ ଝୁମି ଝୁମି ତାଙ୍କର ସେନାପତି ଦ୍ବୟ, ଟିଟୁ ଓ ବୁଲୁ ସହିତ ବାବୁ ସୁରା ପାନ କରିବେ । ମଝିରେ ମଝିରେ ଚୌକିରୁ ଉଠି ପଡି ନର୍ତ୍ତକୀ ସହ ନୃତ୍ୟ କରିପକାଉ ଥିବେ, ନର୍ତ୍ତକୀକୁ ପାଖକ ଟାଣି ଆଣି ମୃଦୁ ଚୁମ୍ବନ ଆଙ୍କି ଦେଉଥିବେ । ଅନ୍ୟ ସହଚର ମାନେ ପ୍ରସାଦ ପାଇ ବସି ଝୁମି ଝୁମି ତାଳି ମାରି ବାବୁଙ୍କୁ ଉତ୍ସାହିତ କରୁଥିବେ । ବାବୁ କଣ ସାମାନ୍ୟ ଯୁବକ ?
ବାର୍ର ଗେଟ୍ ମୁହଁରୁ ବାବୁଙ୍କୁ ପାଛୋଟି ନେବାକୁ ବାଧ୍ୟ ।
ଟିକିଏ ଡେରି ହୋଇ ଗଲେ ବାବୁଙ୍କୁ ସମ୍ଭାଳିବା ଅସମ୍ଭବ।
ଦୁଇ ଅକ୍ଷରୀ ଭାଷାରେ ଗାଳି ଗୁଲଜ ସହ ସଙ୍ଗରେ ଥିବା ସେନାପତି ଦ୍ବୟ ଆଉ ଅନ୍ୟ ଚେଲା ଚାମୁଣ୍ଡା ସହ ମିଶି ବାର୍ ର ଚୌକି ଟେବୁଲ ସରଞ୍ଜାମ ପତ୍ର ଭଙ୍ଗାରୁଜା ଆରମ୍ଭ ହୋଇ ଯିବ।
ଆଗରୁ ଅନେକ ବାର ସେମିତି ଘଟିଛି। ବାର୍ ମାଲିକ କାହାକୁ ଗୁହାରି କଲେ କିଏ ଶୁଣିବ ?
ବାବୁ ସ୍ବୟଂ ଆରକ୍ଷୀ ଅଧୀକ୍ଷକଙ୍କ ପୁତ୍ରମଣି ।ବାବୁ କଣ ଏକୁଟିଆ ବାର୍ କୁ ଯିବେ, ବାବୁଙ୍କ ଚାରି ପାଖରେ ତ ସର୍ବଦା ଘେରି ଛନ୍ତି ବାବୁଙ୍କ ସହଚର, ଚେଲା ଚାମୁଣ୍ଡା । ସମସ୍ତ ଙ୍କୁ ବାର୍ ବାଲା ଖାଇବା ପିଇବା ଦେବାକୁ ବାଧ୍ୟ ।କିଏ ହାତରୁ ବିଲ୍ ପୈଠ କରୁଛି ।ଖାଇ ପିଇ ରାଜକୀୟ ଶୈଳୀରେ ବାହାରି ଯାଆନ୍ତି ।
ମହିଷାସୁର ଉତ୍ପାତରେ ଅମରାବତୀ ଥରହର ହେବା ଭଳି ବାବୁଙ୍କ ଉତ୍ପାତରେ ସାରା ସହର ଥର ହର । ବାବୁଙ୍କ ବାମ ଆଉ ଡାହାଣ ହସ୍ତ ଦୁର୍ଦାନ୍ତ ଟିଟୁ ଆଉ ବୁଲୁ ମହିଷାର ଦୁର୍ଦ୍ଦାନ୍ତ ସେନାପତି ଶୁମ୍ଭ ନିଶୁମ୍ଭ ସମ ସର୍ବଦା ଜାଗ୍ରତ । ଉଭୟଙ୍କ ନାମରେ ତିରିଶ ଚାଳିଶ ଟି ଲେଖାଏଁ ଜଘନ୍ୟ ଅପରାଧିକ ମାମଲା କୋର୍ଟରେ ବିଚାରାଧୀନ । କେତେ ଥର ମାମୁଁ ଘରେ ପଶି ବାହାରିଲେଣି ତାର କିଛି ହିସାବ ନାହିଁ ।
ଗତ କାଲି ବାବୁ ଅତ୍ୟଧିକ ସୁରାପାନରେ ମାତାଲ ହୋଇ ଗୋଡ ଟଳମଳ ଅବସ୍ଥାରେ ବିଳମ୍ବିତ ରାତ୍ରିରେ ଆସି ଘରେ ଖାଦ୍ୟ ଗ୍ରହଣ ନକରି ଶୋଇ ଯାଇଛନ୍ତି । ଆଜି ସକାଳ ଯାଇ ସଞ୍ଜ ଆସି ସାତ ଟା ହେଲାଣି ବାବୁ ଉଠି ନାହାନ୍ତି । ଏହି ଯୁବକ ମାନେ ତ ଏ ଦେଶର ଭବିଷ୍ୟତ । ଏହି ଯୁବକ ମାନେ ତ ଭବିଷ୍ୟତରେ ଏ ଦେଶର ଶାସନ ମଙ୍ଗଧରିବେ। ଯୁବକ ଶୋଇପଡିବାଟା ଭଲ ଲକ୍ଷଣ ନୁହଁ। ଯୁବକ ଶୋଇପଜିଲେ ସମାଜ ଶୋଇ ପଡିବ । ଗାଁ, ସହର, ଜିଲ୍ଲା, ରାଜ୍ୟ, ଦେଶ ଶୋଇ ପଡିବ । ଏମାନେ ଜାଗିଉଠିଲେ ଗାଁ, ସହର, ଜିଲ୍ଲା, ରାଜ୍ୟ, ଦେଶ ଜାଗି ଉଠିବ।ଏମାନେ ଦଉଡିଲେ ଗାଁ, ସହର, ଜିଲ୍ଲା, ରାଜ୍ୟ, ଦେଶ ଦୌଡିବ। ଏହି ଶୋଇ ଥିବା ଯୁବକ ଜଣକ କଣ ସାମାନ୍ୟ ଯୁବକ ? ଇୟେ ହେଉଛନ୍ତି ଆଜିର ଯୁବ ସମାଜର ମାର୍ଗ ଦର୍ଶକ, ବତୀଖୁଣ୍ଟ ସଦୃଶ୍ୟ ।
ସୂର୍ଯ୍ୟ ତା ଆକର୍ଷଣ ଶକ୍ତି ଦ୍ବାରା ତାର ଚାରି ପାଖରେ ଗ୍ରହ ନକ୍ଷତ୍ରମାନଙ୍କୁ ଘୁରାଇଲା ଭଳି ଯୁବକ ମାନଙ୍କୁ ବାବୁ ତାଙ୍କ ମଦ୍ୟାକର୍ଷଣ ଶକ୍ତି ଦ୍ଵାରା ଚାରି ପାଖରେ ଘୁରାଉଛନ୍ତି । ଏହି ମଦ୍ୟାକର୍ଷଣ ଶକ୍ତି ମାଧ୍ୟାକର୍ଷଣ ଶକ୍ତି ଠାରୁ ଶତ ଗୁଣରେ ଶକ୍ତିଶାଳୀ।
ପୁରାଣ ଯୁଗରୁ ମୁନି, ଋଷି, ଦେବତା,ଗନ୍ଧର୍ବ ଆଉ କିନ୍ନର ମାନଙ୍କୁ ଆକର୍ଷଣ କରିବା ସହିତ ଆଜିକା ଯୁଗରେ ଶିକ୍ଷକ ମାନଙ୍କ ଠୁ ଆରମ୍ଭ କରି ସମସ୍ତ ଉଚ୍ଚପଦାଧିକାରୀ ଏପରିକି ଚିକିତ୍ସକ ମାନଙ୍କୁ ବି ବହୁଳ ଭାବରେ ଆକର୍ଷଣ କରୁଛି। ଆଉ ଆଜିର ଯୁବ ସମାଜ ତ ଏହି ମଦ୍ୟାକର୍ଷଣ ଶକ୍ତିର ଜନକ ।
କାଲି ରାତିଠୁ ଆଜି ଆସି ରାତି ସାତଟା ହେଲାଣି ବାବୁ ଏହି ମଦ୍ୟାକର୍ଷଣ ଶକ୍ତିର ତିବ୍ର ପ୍ରଭାବଯୋଗୁ ଉଠୁ ନାହାନ୍ତି ।
ସାହେବାଣି ବ୍ୟସ୍ତ ହୋଇ ପଡିଲେଣି । ସାତ ନାହିଁ କି ପାଞ୍ଚ ନାହିଁ ଗୋଟିଏ ବୋଲି ପୁଅ । କୋଉ ମା’ର ମନ ବୁଝିବ। ମନଟା ତାଙ୍କର ପାପ ଆଡକୁ ଟାଣୁଛି । ତା ବାପା ସହରର ଗୁଣ୍ଡା ବଦମାସ ମାନଙ୍କୁ ସାବାଡ କରୁଛନ୍ତି ବୋଲି କିଏ କଣ ତାକୁ ଖାଦ୍ୟରେ କିଛି ମିଶାଇ ଦେଲାକି…..??
ହେଲେ ଉଠାଇବାକୁ ସାହେବାଣୀଙ୍କ ବି ସାହସ ନାହିଁ । ଉଠାଇଲେ ସାହେବାଣିଙ୍କ ବାପ ଅଜା ସାତ ପୁରୁଷ ଶୋଧିବା ସହ ଦୁଇ ତିନି ଚାରି ଅକ୍ଷରୀ ମା ହେଲେବି ତାଙ୍କ ଉପରେ ପ୍ରୟୋଗ କରି ଦୁଇ ଚାରି ଜାବୁଡା ବି ପଡିଯିବ । ଆରକ୍ଷୀ ଅଧିକ୍ଷକ ସାହେବ ଜାଣିଛନ୍ତି ପୁଅ ଲଗାମ ଛଡା ବୋଲି ।
ବାହାର ଲୋକଙ୍କ ଉପରେ ସିନା ତାଙ୍କର ବାଡି, ରିଭଲଭର, ଆଇନର ଚାବୁକ କାମ ଦେବ। ନିଜ ଜନ୍ମ କଲା ପୁଅ ଯେତେ ଅନ୍ୟାୟ କଲେ ସୁଦ୍ଧା ବାପା ହୋଇ ସେ ଚାବୁକ କଣ ପ୍ରୟୋଗ କରି ପାରିବେ ?
ପୁତ୍ର ମୋହ ପୁରାଣ ଯୁଗରୁ ତ ସବୁ ବିଶିଷ୍ଟ ବ୍ୟକ୍ତିଙ୍କୁ ଘାରିଛି।
ଅନ୍ଧ ଧୃତରାଷ୍ଟ୍ରଙ୍କ ପୁତ୍ର ମୋହ ଯୋଗୁଁ କୁରୁ ଆଉ ପାଣ୍ଡବ ଭିତରେ ମହାଭାରତ ଯୁଦ୍ଧର ସୁତ୍ରପାତ ହୋଇ କୁରୁବଂଶ ଧ୍ବଂସ ହେଲା ।
ସିଏ ଚାହଁ ଥିଲେ ଆପୋଷ ସମାଧାନ କରି ଯୁଦ୍ଧ ଏଡାଇ ପାରି ଥାନ୍ତେ। ପୁତ୍ରମୋହରେ ପଡି ଆମ ରାଜ୍ୟର ଜନୈକ ମନ୍ତ୍ରୀ ଓଡିଶା ମ୍ୟାଟ୍ରିକ ପରୀକ୍ଷାରେ ମାର୍କ ଜାଲିଆତି କରି ମନ୍ତ୍ରୀ ପଦ ହରାଇଥିଲେ ।
ସଞ୍ଜ ସାତଟା ହୋଇ ଗଲା, ବାବୁ ଉଠି ନାହାଁନ୍ତି। ସଞ୍ଜବେଳ ପୂଜା ପାଇଁ ନନା ଆସି ସାହେବଙ୍କ ଘରେ ପହଞ୍ଚିଲା। ସାହେବାଣୀଙ୍କ ମୁଣ୍ଡରେ ଗୋଟିଏ ବୁଦ୍ଧି ଦେଖା ଗଲା । ଯାହା ହେଉ ସେ ନନାକୁ ପୁଅକୁ ଉଠାଇବାକୁ ଅନୁରୋଧ କରିବେ।
ଆଉ କଲେ ମଧ୍ୟ । ନନା ପ୍ରଥମେ ମନା କରୁଥିଲେ ।
ସାହେବାଣୀ କହିଲେ ଶହେ ଟଙ୍କା ଦେବି ଟିକିଏ ପୁଅକୁ ଉଠାଇ ଦିଅ ।ପୁଅକୁ ଉଠାଇଦେଲେ ଶହେ ଟଙ୍କା ମିଳିଯିବ । କୋଡିଏ ଘରେ ପୂଜା କଲେ ସିନା ସିଏ ଶହେ ଟଙ୍କା ପାଉଛି । ତେଣୁ ଶହେ ଟଙ୍କା ଲୋଭରେ ନନା ରାଜି ହୋଇ ଗଲା। କଣ କଲା ନା… ପୂଜାଘଣ୍ଟି ଟି ବାବୁଙ୍କ କାନ ପାଖରେ ନେଇ ଟିଂ ଟିଂ ବଜାଇ ଦେଲା ।
ବାବୁ ଆଖି ରଙ୍ଗ୍ ରଙ୍ଗ୍ କରି ହଠାତ୍ ଶେଯରୁ ଉଠି ରାଗରେ ଦାନ୍ତ କଡ ମଡ ଗର୍ଜନ କରି କିଏବେ ହାରାମଯାଦା କହି ଉଠିପଡିଲାରୁ ନନା ଙ୍କ ପିଳେହି ପାଣି। ନନା ହଠାତ୍ “ମାଁ ବାବୁଙ୍କୁ ସମ୍ଭାଳନ୍ତୁ ” କହି ଦୌଡି ପଳାଇ ଯିବାବେଲେ ନନାର ପିନ୍ଧା ଧୋତିକୁ ବାବୁ ଧରିପକାଇଲେ ଆଉ ନନାଙ୍କ ଧୋତି ଖୋଲି ଗଲା।
ଆଉ କଣ, ନନା ସମ୍ପୂର୍ଣ୍ଣ ଦିଗମ୍ବର ବେଶରେ ପ୍ରାଣ ବିକଳରେ ଏଣେ ତେଣେ ଦୌଡିବାକୁ ଲାଗିଲେ । ନନାଙ୍କ ଲଣ୍ଡିତ ମସ୍ତକର ଶୀର୍ଷର ଦୋଳାୟମାନ ଗଣ୍ଠି ପକା ଲିଟି, ଚନ୍ଦନ ଚିତ୍ରିତ କପାଳର ଠିକ୍ ମଧ୍ୟରେ ଏକ ସିନ୍ଦୁର ଟିକା, ପୃଥୁଳାକାୟ ଗୌରବର୍ଣ୍ଣ ଶରୀର ଶୋଭିତ ଥନ୍ତଲ ପେଟକୁ ହଲାଇ ଦୌଡିବାର ଦୃଶ୍ୟ ଅତୀବ ଆକର୍ଷଣୀୟ, କୌତୁହଳ ପୂର୍ଣ୍ଣ ଓ ବେଶ୍ ଉପଭୋଗ୍ୟ ଥିଲା । ନନାଙ୍କ ବାମ ହାତରେ ପୂଜାଦାନୀ ଆଉ ଡାହାଣ ହାତରେ ଘଣ୍ଟି ଧରି ଦୌଡିଲା ବେଳେ ଠଣ୍ ଠଣ୍ ଶବ୍ଦ ସତେ ଯେପରି ଦମକଳ ଗାଡି ଆସିବାର ଭ୍ରମ ସୃଷ୍ଟି କରୁଥିଲା । ନନା ଦିଗମ୍ବର ବେଶରେ ଘରେ ଦୌଡୁଥାନ୍ତି ଆଉ ବାବୁ ତାଙ୍କୁ ଦାନ୍ତକାମୁଡି ବାଡ଼େଇ ବାକୁ ଗୋଡ଼ାଉ ଥାନ୍ତି ।
ବାବୁଙ୍କ ଗତକାଲିର ଭଲରେ ନିଶା ଉତୁରି ନ ଥିଲା ତେଣୁ ସେ ଭଲରେ ନନାକୁ ଗୋଡ଼ାଇ ପାରୁନଥିଲେ । ସାହେବାଣୀ ପରିସ୍ଥିତିର ମୁକାବିଲା ପାଇଁ ଗାମୁଛାଟିଏ ବାହାରକୁ ଫିଙ୍ଗି ଦେଇଥିଲେ । ନନା ଘରୁ ଯୋରରେ ଯେମିତି ଦୌଡି ପଦାକୁ ବାହାରିଗଲେ ସାହେବାଣୀ କବାଟଟି ହଠାତ୍ ବନ୍ଦ କରିଦେଲେ । ନନା ବାହାରେ ପଡି ଥିବା ଗାମୁଛା ଉଠାଇ ତର ବରରେ ପିନ୍ଧି ପାଖ ଘରେ ଯାଇ ପସିଗଲେ ।
ସେହି ଦିନଠାରୁ ନନା ଆଉ ଆରକ୍ଷୀ ଅଧିକ୍ଷକ ସାହେବଙ୍କ ବସାକୁ ପୂଜା ପାଇଁ ଯିବା ବନ୍ଦ । ସାହେବାଣୀ ନନାଙ୍କ ଧୋତି ଆଉ ଶହେ ଟଙ୍କା ଜଣେ କନେଷ୍ଟବଲ୍ ହାତରେ ପଠାଇ ଦେଲେ । ନନା ସେ ଆଖ ପାଖରେ ପୂଜାକରିବା ଦୃଶ୍ୟମାନ ହେଉ ନାହାନ୍ତି।
କମ୍ବୁଧର ସୁନା,
ଅଵସର ପ୍ରାପ୍ତ ପ୍ରବନ୍ଧକ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍,
ଗ୍ରାମ.ଵାଘମାରୀ, ବୀରମହାରାଜପୁର,
ଜି.ସୁଵର୍ଣ୍ଣପୁର.
ମୋ.୭୦୭୭୭୩୪୨୭୮.