17th July 2024
ପରମହଂସ ଶ୍ରୀ ନିଗମାନନ୍ଦ : ଭାଗ – ୯
ସମସ୍ତଙ୍କର ଯେ ଭଗବାନ ଲକ୍ଷ୍ୟ ହେବେ, ତାହାର କୌଣସି ଅର୍ଥ ନାହିଁ।
ସାଧୁ ବିଦ୍ୱେଷ
ଆତ୍ମା ଓ ପରକାଳରେ ନଳିନୀକାନ୍ତଙ୍କର ବିଶ୍ବାସ ଆସିଲା ସତ୍ୟ, ମାତ୍ର ସାଧୁ ସନ୍ନ୍ୟାସୀଙ୍କ ପ୍ରତି ଆନ୍ତରିକ ଘୃଣାଭାବ ଗଲାନାହିଁ ।
ନଳିନୀକାନ୍ତଙ୍କର ବିଶ୍ବାସ ଯେ ଯେଉଁମାନେ ଖାଇବାକୁ ନ ପାଆନ୍ତି, ସେମାନେ ଧର୍ମ ନାମରେ ଭଣ୍ଡାମି କରି ବୁଲନ୍ତି । ସନ୍ନ୍ୟାସୀ ଦେଖିଲେ ତାଙ୍କର ବିଶେଷ କ୍ରୋଧ ହୁଏ । ଭୁବନମୋହନ ସ୍ଵାମୀ ଭାସ୍କରାନନ୍ଦଙ୍କ ଶିଷ୍ୟ। ତେଣୁ ସନ୍ନ୍ୟାସୀ ମାନଙ୍କ ପ୍ରତି ତାଙ୍କର ବିଶେଷ ଶ୍ରଦ୍ଧା ଥାଏ। ଭୁବନମୋହନ ସନ୍ନ୍ୟାସୀ ଦେଖିଲା ମାତ୍ରେ ବିଶେଷ ଆଦର ସମ୍ମାନ କରିଥାଆନ୍ତି। ଏଥିରେ ନଳିନୀକାନ୍ତ ତୀବ୍ର ପ୍ରତିବାଦ କରନ୍ତି ।
ଦିନେ ଜଣେ ଜଟାଧାରୀ ସନ୍ନ୍ୟାସୀ ଅତିଥି ଭାବେ ଆସି ନଳିନୀକାନ୍ତଙ୍କ ଘରେ ପହଞ୍ଚିଲେ । ପିତା ଆଦର ଯତ୍ନ କରି ତାଙ୍କୁ ଘରେ ରଖାଇଲେ। ସନ୍ନ୍ୟାସୀଙ୍କ ପ୍ରତି ଆଦର ଯତ୍ନ ଦେଖି ନଳିନୀକାନ୍ତଙ୍କର ଦେହ ସହୁ ନଥାଏ; ତଥାପି ପିତା ବିରକ୍ତ ହେବେ ବୋଲି ଭାବି ପ୍ରକାଶ୍ୟରେ କିଛି କହୁନଥାନ୍ତି ।
କିଛି ସମୟ ପରେ ଦୈବାତ୍ ନଳିନୀକାନ୍ତ ବାବାଜି ରହିବା ଘର ବାଟ ଦେଇ ଯାଉଥିବା ବେଳେ ଦେଖିଲେ ସନ୍ନ୍ୟାସୀ ନିଦ୍ରିତ। ନଳିନୀକାନ୍ତ ଧୀରେ ଧୀରେ ଯାଇ କତୁରୀ ଦ୍ଵାରା ତାଙ୍କର ଗୋଟିଏ ଜଟା କାଟିଦେଇ ସେ ସ୍ଥାନରୁ ପଳେଇଆସିଲେ। ପରେ ସନ୍ନ୍ୟାସୀ ଉଠି କ୍ରୋଧରେ ପ୍ରଜ୍ଜ୍ୱଳିତ ହୋଇ ‘ଭସ୍ମ କରିଦେବି, ଅଭିଶାପ ଦେବି, ଇତ୍ୟାଦି କହିବାକୁ ଲାଗିଲେ । ନଳିନୀକାନ୍ତ କିଛି ନ ଜାଣିଲା ପରି ସେ ସ୍ଥାନରେ ପହଞ୍ଚିଲେ। ତାଙ୍କର ଭାବଭଙ୍ଗୀ ଦେଖି କେହି ତାଙ୍କୁ ସନ୍ଦେହ କରି ପାରିଲେ ନାହିଁ ଯେ, ଏ କାମ ତାଙ୍କଦ୍ୱାରା ହୋଇଛି । ତେଣୁ ତାଙ୍କୁ ମଧ୍ୟ କେହି ଏ ବିଷୟରେ ପଚାରିଲେ ନାହିଁ ।
ସ୍ଵାମୀ ପୂର୍ଣ୍ଣାନନ୍ଦଙ୍କ ସହ ସାକ୍ଷାତ
ନଳିନୀକାନ୍ତ କୁମିରାରେ ରହି କାର୍ଯ୍ୟ କରୁଥିବା ସମୟରେ କଲିକତାକୁ କେହି ବଡ଼ ସାଧୁ ଆସୁଛନ୍ତି କି ନାହିଁ ତାହା ସର୍ବଦା ଲକ୍ଷ୍ୟ ରଖିଥାନ୍ତି । ସେହି ସମୟରେ କଲିକତା ସହରରେ ଧର୍ମର ପ୍ରବଳ ବନ୍ୟା ପ୍ରବାହିତ। ବିଜୟକୃଷ୍ଣ ଗୋସ୍ୱାମୀ, ରାମକୃଷ୍ଣ ପରମହଂସ, କେଶବଚନ୍ଦ୍ର ସେନ୍ ଓ ଥିଓସୋଫିକାଲ ସୋସାଇଟିର ଧର୍ମ ପ୍ରଚାରକ ଗଣ କଲିକତାରେ ଧର୍ମ ପ୍ରଚାର କରୁଥାନ୍ତି ; କିନ୍ତୁ କେହି ତାଙ୍କର ପିପାସା ମେଣ୍ଟାଇ ପାରିଲେ ନାହିଁ । କାରଣ ନଳିନୀକାନ୍ତଙ୍କ ଆକାଂକ୍ଷା ସ୍ଵତନ୍ତ୍ର ଧରଣର। ତେଣୁ ସମସ୍ତେ ବିଦ୍ରୂପାତ୍ମକ କଥା କହି ତାଙ୍କୁ ବିଦାୟ ଦିଅନ୍ତି।
ସେ ଦିନେ ଶୁଣିଲେ କଲିକତାକୁ ପୂର୍ଣ୍ଣାନନ୍ଦ ସ୍ଵାମୀ ନାମକ ଜଣେ ପ୍ରଖ୍ୟାତନାମା ସାଧୁ ଆସିଛନ୍ତି । ସାଧୁ ବିଶ୍ଵବିଦ୍ୟାଳୟର ଉଚ୍ଚ ଉପାଧିଧାରୀ। ପୂର୍ବାଶ୍ରମରେ ଡଫ୍ କଲେଜରେ ବିଜ୍ଞାନ ଅଧ୍ୟାପକ ଥିଲେ । ସେ ସନ୍ନ୍ୟାସୀ ହୋଇ ବିନ୍ଧ୍ୟାଞ୍ଚଳରେ ଆଶ୍ରମ କରି ବାସ କରୁଛନ୍ତି ଓ ସିଦ୍ଧପୁରୁଷ ବୋଲି ତାଙ୍କର ବଡ଼ ଖ୍ୟାତି ।
ନଳିନୀକାନ୍ତଙ୍କର ଧାରଣା ଥିଲା ଯେ ଅକର୍ମା ସବୁ ସନ୍ନ୍ୟାସୀ ହୁଅନ୍ତି । ସେମାନେ ଭଣ୍ଡ । ପାଶ୍ଚାତ୍ୟ ଶିକ୍ଷିତ ବ୍ୟକ୍ତି ସଚ୍ଚରିତ୍ର ବୋଲି ତାଙ୍କର ଧାରଣା । କିନ୍ତୁ ସ୍ଵାମୀ ପୂର୍ଣ୍ଣାନନ୍ଦ ତ ଶିକ୍ଷିତ, ଅଥଚ ସନ୍ନ୍ୟାସୀ କାହିଁକି ହେଲେ ? କୌତୁହଳର ବଶବର୍ତ୍ତୀ ହୋଇ ସେ ତାଙ୍କୁ ଦେଖିବାକୁ କଲିକତା ଗଲେ ।
କଲିକତାରେ ସ୍ବାମୀଜୀଙ୍କ ନିକଟରେ ପହଞ୍ଚି ସେ ଦେଖିଲେ ଯେ, ବହୁ ଗଣ୍ୟମାନ୍ୟ ବ୍ୟକ୍ତି ତାଙ୍କ ନିକଟରେ ବସିଛନ୍ତି ଓ ଭଗବତ୍ ପ୍ରସଙ୍ଗ ନେଇ ଆଲୋଚନା କରୁଛନ୍ତି । କିନ୍ତୁ ନଳିନୀକାନ୍ତ ଯେଉଁ ଉଦ୍ଦେଶ୍ୟ ନେଇ ଆସିଛନ୍ତି ତାହା ସାମାଗତ ଭଦ୍ରବ୍ୟକ୍ତିଙ୍କ ଠାରୁ ସ୍ୱତନ୍ତ୍ର ଧରଣର । କିପରି ଜ୍ଞାନ ଲାଭ ହୁଏ, କିପରି ଭଗବାନଙ୍କ ସନ୍ଧାନ ମିଳେ, ଏସବୁ ନେଇ ସମସ୍ତେ ବ୍ୟସ୍ତ । କିନ୍ତୁ ନଳିନୀକାନ୍ତ ଯେଉଁ ସନ୍ଧାନ ନିମିତ୍ତ ଆସିଛନ୍ତି, ତାହା ସର୍ବସମକ୍ଷରେ ପ୍ରକାଶ କଲେ ବଡ଼ ଲଜ୍ଜାର ବିଷୟ ହେବ, କାରଣ ଏହା ଯେ ବ୍ୟକ୍ତିଗତ ଛୋଟ କଥା ।
ତେଣୁ ସେ ସ୍ଥିର କଲେ, ସାଧୁ ସନ୍ନ୍ୟାସୀଙ୍କର ତ ପରର ମନୋଭାବ ବୁଝିପାରିବାର କ୍ଷମତା ଥାଏ। ଏ ଯଦି ପ୍ରକୃତ ସାଧୁ ହୋଇଥିବେ, ତେବେ ନିଶ୍ଚୟ ତାଙ୍କ ଭାବ ବୁଝିପାରି ଡାକିବେ। ସାଧୁ ଯଦି ମନକୁ କିଛି ନ ପଚାରାନ୍ତି, ତେବେ ସେ କିଛି କହିବେ ନାହିଁ । ଏହି ସଂକଳ୍ପ କରି ସେ ପ୍ରତିଦିନ ଯଥା ସମୟରେ ସ୍ବାମୀଜୀଙ୍କ ନିକଟରେ ଉପସ୍ଥିତ ହୁଅନ୍ତି, ସମସ୍ତେ ଫେରିବା ପରେ ଫେରି ଆସନ୍ତି । ସମସ୍ତେ ସାଷ୍ଟାଙ୍ଗ ପ୍ରଣାମ କରନ୍ତି ମାତ୍ର ନଳିନୀକାନ୍ତ ପ୍ରଣାମ କରନ୍ତି ନାହିଁ।
ଦିନେ ସ୍ବାମୀଜୀ ସମାଗତ ଦର୍ଶକମଣ୍ଡଳୀଙ୍କ ପ୍ରଶ୍ନର ମୀମାଂସା କରି ସାରି କହିଲେ ଯେ, ଆଜି ତାଙ୍କର ବିଶେଷ କାର୍ଯ୍ୟ ଅଛି । ସେ ଆଉ ବେଶୀ କଥା କହିପାରିବେ ନାହିଁ ।
ଏହା ଶୁଣି ଦର୍ଶକମଣ୍ଡଳୀ ସେ ଦିନର ଆଲୋଚନା ବନ୍ଦ କରି ଉଠିବାକୁ ଆରମ୍ଭ କଲେ। ସଙ୍ଗେ ସଙ୍ଗେ ନଳିନୀକାନ୍ତ ମଧ୍ୟ ଉଠିଲେ। ଏହା ଦେଖି ପୂର୍ଣ୍ଣାନନ୍ଦ ସ୍ଵାମୀ ନଳିନୀକାନ୍ତଙ୍କୁ ଲକ୍ଷ୍ୟ କରି କହିଲେ, ” ତୁମେ ଟିକିଏ ବସ। ତୁମ ସହିତ କଥା ଅଛି । ତୁମ ଘର ତ ନିକଟରେ, ଚଞ୍ଚଳ ଯିବାକୁ ଉଦ୍ୟତ କାହିଁକି ?”
ନଳିନୀକାନ୍ତ ଟିକିଏ ବିସ୍ମିତ ହେଲେ । ଭାବିଲେ ସ୍ବାମୀଜୀ ଏକଥା କିପରି ଜାଣିଲେ ? ନାନା ଚିନ୍ତା ପରେ ସେ ମନରେ ଠିକ୍ କଲେ , ନିଶ୍ଚୟ ଏ ଜଣେ ସାଧୁ – ମହାପୁରୁଷ। ନିଶ୍ଚୟ ସେ ତାଙ୍କ କଥା ବୁଝିପାରିଛନ୍ତି, ଅନ୍ୟଥା ସମସ୍ତଙ୍କୁ ଉଠାଇ ଦେଇ ତାଙ୍କୁ ବସିବାକୁ କହିଲେ କାହିଁକି ?
ସମସ୍ତେ ଚାଲିଯିବା ପରେ ସ୍ବାମୀଜୀ କହିଲେ, “କେତେଦିନ ହେବ ତ ତୁମକୁ ଏଠାକୁ ଆସିବା ଦେଖୁଛି – ତୁମର କଣ କହିବାକୁ ଅଛି ପ୍ରକାଶ କର ।”
ନଳିନୀକାନ୍ତ — ମୋର ଯାହା କହିବାର ଅଛି, ତାହା ଜନସାଧରଣ ଯେଉଁସବୁ ଜ୍ଞାତବ୍ୟ ବିଷୟ ନେଇ ସାଧୁମାନଙ୍କ ନିକଟକୁ ଆସନ୍ତି, ତାହା ଅପେକ୍ଷା ସ୍ୱତନ୍ତ୍ର ଧରଣର।
ପୂର୍ଣ୍ଣାନନ୍ଦ — ନିଃସଙ୍କୋଚ ଭାବରେ ପ୍ରକାଶ କର ।
ନଳିନୀକାନ୍ତ — ଭଗବାନ କିଏ, କିପରି ତାଙ୍କ ସହିତ ସାକ୍ଷାତ୍ ହେବ, ଏସବୁ ମୁଁ ଚାହୁଁ ନାହିଁ । କାରଣ ଏହା ମୁଁ ବିଶ୍ବାସ କରେ ବା ନକରେ, ଭଗବାନ ମୋର ଲକ୍ଷ୍ୟ ନୁହନ୍ତି ।
ପୂର୍ଣ୍ଣାନନ୍ଦ — ସମସ୍ତଙ୍କର ଯେ ଭଗବାନ ଲକ୍ଷ୍ୟ ହେବେ, ତାହାର କୌଣସି ଅର୍ଥ ନାହିଁ।
ନଳିନୀକାନ୍ତ — ମୁଁ ଶୁଣୁଛି, ଆପଣ ଭଗବାନଙ୍କୁ ଦେଖାଇ ଦେଉଛନ୍ତି। ଭଗବାନ ତ ବଡ଼ ଜିନିଷ । ମୁଁ ଗୋଟିଏ ସାମାନ୍ୟ ଜିନିଷ ମାଗିବି । ମୁଁ ପରଲୋକରେ ବିଶ୍ଵାସ କରୁ ନଥିଲି କିନ୍ତୁ ମୋର ସ୍ତ୍ରୀ ବିୟୋଗ ପରେ ମୁଁ ତାଙ୍କୁ ତିନିଥର ଦର୍ଶନ କରିବାରୁ ପରଲୋକ ସମ୍ବନ୍ଧରେ ମୋର ବିଶ୍ବାସ ଜନ୍ମିଛି। ମୁଁ ବୁଝୁଛି, ମୋର ସ୍ତ୍ରୀ ନିଶ୍ଚୟ ଅଛି । ଏହି ତତ୍ତ୍ଵ ଜାଣିବା ପାଇଁ ମାନ୍ଦ୍ରଜ୍ ଯାଇ ଥିଓସୋଫି ସମ୍ପ୍ରଦାୟରେ ମିଶି ପରଲୋକ ସମ୍ବନ୍ଧରେ ଟିକିଏ ଜ୍ଞାନ ଲାଭ କରିଛି, କିନ୍ତୁ ମିଡ଼ିୟମ୍ ଭିତରେ ପ୍ରେତାତ୍ମାକୁ ଅଣାଇ ତୃପ୍ତି ବୋଧ କରିପାରିଲି ନାହିଁ । ମିଡ଼ିୟମ୍ ଭିତରେ ପ୍ରତିଥର ଯେ, ଆତ୍ମା ଆସିବ ତାହା ମଧ୍ୟ ସମ୍ଭବ ନୁହେଁ। ଏପରି ଅବସ୍ଥାରେ ମୁଁ ମୋର ପରଲୋକଗତା ସ୍ତ୍ରୀଙ୍କ ସହିତ ପ୍ରତ୍ୟକ୍ଷ ବାକ୍ୟାଳାପ କରିବାକୁ ଚାହେଁ । ଆପଣଙ୍କ ଶାସ୍ତ୍ରରେ ଯଦି ପରଲୋକଗତା ସ୍ତ୍ରୀଙ୍କୁ ଚାକ୍ଷୁଷ ଦର୍ଶନ କରିବା ଭଳି କିଛି ସାଧନା ଥାଏ, ମୁଁ ତାହା ଜାଣିବାକୁ ଇଚ୍ଛା କରେ । ଆପଣ ମୋତେ ତାହାର ପନ୍ଥା ଦେଖାଇ ଦେଇପାରିବେ କି ?
ପୂର୍ଣ୍ଣାନନ୍ଦ — ହଁ, ପାରିବି। ଆଜି ବହୁତ ରାତ୍ରି ହେଲାଣି । ତୁମେ କାଲି ଦୁଇ ପ୍ରହର ସମୟରେ ଆସ ।
ନଳିନୀକାନ୍ତ — ମୋର ଇଚ୍ଛା ସତ୍ତ୍ୱେ ମୁଁ ଆପଣଙ୍କୁ ପ୍ରଣାମ କରିପାରି ନଥିଲି , ମୋତେ କ୍ଷମା ଦେବେ ।
ପୂର୍ଣ୍ଣାନନ୍ଦ — ତୁମେ ଠିକ୍ କରିଛ, ଏଥିରେ କିଛି ଅପରାଧ ନାହିଁ । ସାଧୁମାନେ ପ୍ରଣାମ ଚାହାନ୍ତି ନାହିଁ। ନିଜେ ନ ବୁଝି ଆତ୍ମଗୌରବ ନଷ୍ଟ କରିବା ଉଚିତ୍ ନୁହେଁ।
ନଳିନୀକାନ୍ତ ପୂର୍ଣ୍ଣାନନ୍ଦ ସ୍ଵାମୀଙ୍କ ସହିତ ଆଳାପରେ ବିଶେଷ ଆଶାନ୍ୱିତ ହୋଇ ଫେରିଲେ। କୌଣସି ପ୍ରକାରେ ରାତ୍ରି ଯାପନ କରି ପରଦିନ ଦ୍ଵି ପ୍ରହର ସମୟରେ ସ୍ୱାମୀଜୀଙ୍କ ନିକଟରେ ଉପସ୍ଥିତ ହେଲେ । ଅନେକ ସମୟ ପର୍ଯ୍ୟନ୍ତ ସ୍ବାମୀଜୀଙ୍କ ସହିତ ଆଲୋଚନା ହେଲା ।
ପୂର୍ଣ୍ଣାନନ୍ଦ — ତୁମେ ନିଜର ସ୍ତ୍ରୀଙ୍କୁ ଦେଖା କରିବାକୁ ଇଚ୍ଛା କରୁଛ ।ତୁମର ସ୍ତ୍ରୀ ଏବଂ ପ୍ରତ୍ୟେକ ସ୍ତ୍ରୀ ମାତ୍ରକେ ଜଗଜ୍ଜନନୀ ଆଦ୍ୟାଶକ୍ତି ମହାମାୟାଙ୍କର ଅଂଶସମ୍ଭୂତା ବା ଛାୟା । ତୁମ ସ୍ତ୍ରୀ ତାଙ୍କ ଠାରେ ମିଶିଯାଇଛନ୍ତି । ତୁମ ସ୍ତ୍ରୀଙ୍କୁ ପାଇବାକୁ ଯେଉଁ ସାଧନା, ଜଗଜ୍ଜନନୀଙ୍କୁ ପାଇବାକୁ ମଧ୍ୟ ସେହି ସାଧନା । ତେବେ ସମଷ୍ଟି ଆତ୍ମାକୁ ନପାଇ ତୁମେ ବ୍ୟଷ୍ଟି ଆତ୍ମା ପ୍ରତି ଆସକ୍ତ କାହିଁକି ? ଜଗଜ୍ଜନନୀଙ୍କୁ ପାଇପାରିଲେ ତ ତୁମର ଉଦ୍ଦେଶ୍ୟ ସିଦ୍ଧ ହେବ। ତୁମ ସ୍ତ୍ରୀଙ୍କୁ ପାଇବ, ଜଗଜ୍ଜନନୀଙ୍କୁ ମଧ୍ୟ ପାଇପାରିବ । ସେତେବେଳେ ଦେଖିବ, ସବୁ ତୁମର କରାୟତ୍ତ। ମୁଁ ସେହି ଜଗଜ୍ଜନନୀ ମା’ଙ୍କୁ ଚାକ୍ଷୁଷ ଦର୍ଶନ କରିବାର ଉପାୟ କହିଦେବି।
ନଳିନୀକାନ୍ତ — ଜଗଜ୍ଜନନୀଙ୍କୁ ପାଇବାରେ ମୋର କିଛି ମାତ୍ର ଆବଶ୍ୟକତା ନାହିଁ। ମୁଁ ସେହି ଆତ୍ମୀୟାକୁ ପାଇବା ପାଇଁ ଆବଶ୍ୟକ ହେଲେ ଜଗଜ୍ଜନନୀଙ୍କ ଆରାଧନା କରିବାକୁ ପ୍ରସ୍ତୁତ ଅଛି । ଏହି ସାଧନା ପ୍ରଣାଳୀ ମୋତେ କହିଦିଅନ୍ତୁ ଓ ମୋତେ ଆପଣଙ୍କ ସହିତ ହିମାଳୟ ନେଇଯାଆନ୍ତୁ ।
ପୂର୍ଣ୍ଣାନନ୍ଦ — ମୁଁ ତୁମର ଗୁରୁ ନୁହେଁ । ତୁମର ଗୁରୁ ନିର୍ଦ୍ଧିଷ୍ଟ ଅଛନ୍ତି। ତୁମେ ତାଙ୍କୁ ଅନୁସନ୍ଧାନ କରି ପ୍ରଥମେ ବ୍ରହ୍ମଚର୍ଯ୍ୟ ଦୀକ୍ଷା ଗ୍ରହଣ କର, ପରେ ସନ୍ନ୍ୟାସ ଗ୍ରହଣ କରିବ। ଉପଯୁକ୍ତ ଗୁରୁଙ୍କ ଠାରୁ ଦୀକ୍ଷା ନେଇ ମହାଶକ୍ତିଙ୍କର ସାଧନାରେ ପ୍ରବୃତ୍ତ ହୁଅ।
ଅନନ୍ତର ନଳିନୀକାନ୍ତ ପୂର୍ଣ୍ଣାନନ୍ଦଙ୍କ ଠାରୁ ବିଦାୟ ନେଇ ପୁନରାୟ କର୍ମସ୍ଥଳ କୁମିରାକୁ ଫେରିଆସିଲେ। ( କ୍ରମଶଃ …)
ପରମହଂସ ଶ୍ରୀ ଶ୍ରୀ ଠାକୁର ନିଗମାନନ୍ଦ
ଲେଖକ – ୰ ବନମାଳୀ ଦାସ ଓ ଦୁର୍ଗାଚରଣ ମହାନ୍ତି