ଅଦୃଶ୍ୟ ଶକ୍ତି

Share it

– ସୁପ୍ତି କର

ଓହୋ! ମଣିଷ ଟିକେ ଶାନ୍ତି ପାଇଲା। ସାଇକେଲଟିକୁ ବ୍ରାହ୍ମଣୀନଦୀ କୂଳ ବାଲିପଠାର ଏକ ପଥର ପାଖେ ଆସ୍ତେକରି ଆଉଜାଇ ଦେଇ ସହର ତୁଳନାରେ ଏଇ ନିର୍ଜନତର ଜାଗାର ଶୁଦ୍ଧ ବାୟୁରେ ନିଜକୁ କିଛିଟା ସହଜ କରିନେଲି। ତୁଠ ପାଖ ଏକ ପାହାଚ ଉପରେ ବସି ମନେ ମନେ ପୁଣିଥରେ ରଗଡ଼ି ହେଲି ଏଇ କେଇଘଣ୍ଟାତଳେ ସ୍ତ୍ରୀ ସୁଜାତାଙ୍କ ସହ ହୋଇଥିବା ବଚସା । କଣ ଏମିତି ଗୋଟେ ଅପରାଧ ମୁଁ କରଦେଲି ଯେ ?

ଦୁଇଦିନ ହେଲା ପ୍ରବଳ ଜର ଥିଲା ତାଙ୍କୁ। ସେ ଦୁଇଦିନ ତ କୌଣସିମତେ ଅନଲାଇନରେ ଖାଇବା ଅର୍ଡର କରି ଚଳାଇ ଦେଇଥିଲି। ଆଜି ତ ଦେହ ଖୁବ୍ ଭଲ ନହେଲେବି ଅନେକଟା ଭଲ ଅଛି।ସେଇଥିପାଇଁ ତ ଡାକ୍ତରଙ୍କ ଠାରୁ ଆଣିଥିବା ଆବଶ୍ୟକୀୟ ଔଷଧ ଦେବାପରେ ହିଁ ମୁଁ ମୋର ଇଚ୍ଛାଟା ଜାହିର କରିଥିଲି। ଆଜି ମୋର ଅଫିସ ଛୁଟି ଅଛି। ସକାଳବେଳଟା ଚୁଡ଼ା, ଗୁଡ଼, ଦହିରେ ଚଳାଇଦେଲି କିନ୍ତୁ ଦ୍ବିପ୍ରହରରେ ବେଶୀ କିଛି ନାହିଁ। ଘି ଅନ୍ନ, ବାଡ଼ିଆ ଡାଲମାଟେ। ସାଙ୍ଗରେ ଦହି ପାଚେଡ଼ି, ପାମ୍ପଡ଼ ଭଜା ଖଣ୍ଡେ। ଚାହିଁଥିଲେ ଆଇଁଷ ଟିକେ ପାଇଁ ବା ଅନ୍ୟାନ୍ୟ କିଛି ତରକାରୀପତ୍ର ପାଇଁ କଣ ଦାବୀଟେ କରିପାରିନଥାନ୍ତି। ହେଲେ ମୋର ଏତିକି କଥା ଶୁଣି ସୁଜାତା ବିରକ୍ତିରେ ଫିଡ଼ିଙ୍ଗା ପରି ଡେଇଁ ପଡ଼ିଲେ। ଆଉ କହିଲେ–ହଇଓ, କେମିତି ମଣିଷଟା କି ତୁମେ ? ଦୁଇଦିନ ହେଲା ଶେଯରୁ ଉଠି ପାରିନି, ଭଲକରି ପେଟକୁ ଗଣ୍ଡେ ଦାନା ଯାଇନି। ଆଜି ଟିକେ ଉଠିଲି ଯେ ତୁମର ଫର୍ମାଇସ ଆରମ୍ଭ ହୋଇଗଲା।

ତାଙ୍କର ଚିଡ଼ିଚିଡ଼ା ଭାଵ ଦେଖି ମୁଁ’ ଡରୁଆ କୁକୁର ଭଳି ଲାଙ୍ଗୁଡ଼ ଜାକି ପଳାଇ ଆସିଛି ଏଇ ନଦୀ କୂଳକୁ। ମନ ଖରାପ ଲାଗିଲେ ମୁଁ ‘ଏଇଠି କୁ ପଳାଇ ଆସେ। ଆଜି ବହୁତ ଦିନପରେ ବୋଉ ଆଉ ନାନୀ ଉପରେ ରାଗ ଆସୁଥିଲା। ଯଦିଓ ବୋଉ ଯାଇ ସରଗରାଇଜରେ ଆଉ ନାନୀ ଶାଶୁଘରେ। ତଥାପି ଲାଗୁଥିଲା ଆଜିମୋର ଏ ଅବସ୍ଥା ପାଇଁ ସେ ଦୁହେଁ ଦାୟୀ। କେବେ ଶାଗ ଟିକେ ଖରଡ଼ି ବସିଲେ କି ମାଛ ଖଣ୍ଡେ ଭାଜି ବସିଲେ, ଜରୁଆ ଦେହରେ ବି ବୋଉ ବିଛଣା ଛାଡ଼ି ଚାଲିଆସେ। ଛାଡ଼୍ ବାବୁ ଛାଡ଼୍, ମୋତେ ଟିକେ ଭଲଲାଗୁଛି । କହି ଲୁହାଖଡ଼ିକା ହାତରୁ ଟାଣିନିଏ। କେବେ ସଉକରେ ଝାଲମୁଢ଼ି କରିବାକୁ ବସିଲେ ନାନୀ ହାତରୁ ପିଆଜ ଓ ପନିକି ଟାଣିନେଇ କୁହେ–ଛାଡ଼୍ ! କେତେ ଲୁହ ବୁହାଇବୁ? ମୋତେ ଦେ ବଢ଼ିଆ ପାଗ କରିଦେବି। ବାସ ଏଇ ସବୁଥି ପାଇଁ ତ ଆଜି ମୋର ଏ ଅପାରଗ ଅବସ୍ଥା।

ହଠାତ ମା’କଥାରୁ ମନେ ପଡ଼ିଲା ମୋର ଅନ୍ତରଙ୍ଗ ବନ୍ଧୁ ଦିନେଶର ମା’ ମହାପାତ୍ର ମାଉସୀଙ୍କ କଥା। ଏଇ କେଇଦିନ ତଳେ ତାଙ୍କର ଦେହାନ୍ତ ହୋଇ ଯାଇଛି। ଭାବିଲି, ଯାଏଁ ଟିକେ ମଉସାଙ୍କୁ ଦେଖା କରିଆସେ। ବାଟରେ ଭାବୁଥିଲି, ଯାହା ବି କୁହ ଶେଷ ଜୀବନରେ ହେଉପଛେ ମାଉସୀଙ୍କ ଅଵର୍ତ୍ତମାନରେ ମଉସା ଟିକେ ଶାନ୍ତିରେ ଥିବେ।

ଅବଶ୍ୟ ମୋର ଏମିତି ଏକ ଅଶୋଭନୀୟ ଭାବନା ପଛରେ କାରଣଟିଏ ଅଛି। ଦୁହିଁଙ୍କୁ କେବେ ମୁଁ ସିଧାମୁହଁ ହସଖୁସିରେ ବସି କଥା ହେବା ଦେଖିନି। ମାଉସୀ ତ ସବୁବେଳେ ଗର ଗର ହେଉଥାନ୍ତି ମଉସାଙ୍କ ଉପରେ। ଆଉ ମଉସା, ଏସବୁକୁ ନିଦାବିଷ୍ଣୁ। ସମାଜ ଆଖିରେ ସ୍ୱାମୀ ସ୍ତ୍ରୀ ସିନା, ହେଲେ ଦୁହେଁ ସମାନ୍ତରାଳ ସରଳରେଖା ପରି ଜୀବନସାରା ଚଳି ଆସିଛନ୍ତି।

ମଉସାଙ୍କ ଘରେ ପହଞ୍ଚି ଦେଖିଲି ମଉସା ବଗିଚାରେ ଖବରକାଗଜ ଧରି ବସିଛନ୍ତି କିନ୍ତୁ ଦୃଷ୍ଟି ନିବଦ୍ଧ ଅଛି ମାଉସୀଙ୍କ ହାତଲଗା ରକ୍ତଗୋଲାପ ଗଛ ଉପରେ। ମୋତେ ଦେଖି ତାଙ୍କ ଆଖିରୁ ଝରିଆସୁଥିବା ଲୁହକୁ ଲୁଚାଇବାକୁ ଯାଇ ପୋଛି ପକାଇଲେ। ମୁଁ ମୋ ଭାବନାର ବିପରୀତ ପରିସ୍ଥିତି ଦେଖି କହିପକାଇଲି –ମଉସା, କାହିଁକି ଦୁଃଖ କରୁଛନ୍ତି। ମାଉସୀ ସିନା ଚାଲିଗଲେ ହେଲେ ଦିନେଶ ଆଉ ଭାଉଜ ତ ଅଛନ୍ତି।ସେମାନେ ଆପଣଙ୍କୁ ଖୁବ ଶ୍ରଦ୍ଧା, ସମ୍ମାନ ତ କରନ୍ତି।

ମଉସା କହିଲେ–ସେକଥା ନୁହେଁ ମନୋଜ। ତୁମ ମାଉସୀ ଚାଲିଯିବାପରେ ମନେ ହେଉଛି ଯେମିତି ମୋର ଏକ ଅଙ୍ଗ ଚାଲିଗଲା। ସେ’ହିଁ ଥିଲା ମୋ ବିସ୍ତୃତ ଜୀବନଛାତକୁ ଦମ୍ଭ ଦେଉଥିବା ସ୍ତମ୍ଭଟିଏ।ମୋର ଦୃଶ୍ୟମାନ ସାହସ ପଛରେ ଏକ ଅଦୃଶ୍ୟ ଶକ୍ତି। ତାର ଅଭିମାନ, ଅଭିଯୋଗ, ଜିଦ ମୋତେ ପରିବାର ପ୍ରତି ଯତ୍ନବାନ ହେବାକୁ ପ୍ରେରଣା ଦେଉଥିଲା। ମୋର ଘର, ପରିବାର ସବୁକିଛି ତାର ସୁରକ୍ଷିତ ତତ୍ତ୍ୱାବଧାନରେ ଛାଡ଼ି ମୁଁ ନିଶ୍ଚିନ୍ତ ହୋଇ କର୍ମ କ୍ଷେତ୍ରରେ ମନ ଲଗାଇ କାମ କରୁଥିଲି। ଆଉ ତା ସହ ଅନବରତ ହେଉଥିବା  ମତାନ୍ତର ତ ଜୀବନର ସେଇ ଚନ୍ଦନ ଛିଟା ଭଳି ଥିଲା ଯାହାକି ରହି ରହି ସୁଗନ୍ଧିତ କରୁଥିଲା ଆମ ସମ୍ପର୍କକୁ। ସେ ପରା ମୋର ଶକ୍ତି ଥିଲା।ଶକ୍ତି ବିନା ଶିବ ଯେ ଅସମ୍ପୂର୍ଣ୍ଣ।

ଏସବୁ ଶୁଣିବା ପରେ ଏଇ କିଛି ସମୟ ଆଗରୁ ମୋ ମନରେ ଉଙ୍କି ମାରିଥିବା ଅଶୋଭନୀୟ ଭାବନା ପାଇଁ ମନେ ମନେ ମାଉସୀଙ୍କ ଅମର ଆତ୍ମା ପାଖେ କ୍ଷମା ପ୍ରାର୍ଥନା କରି ମୁଁ ଗେଟ ବନ୍ଦ କରି ବାହାରକୁ ଆସିଲି। ମୋ ପେଟରେ ମଧ୍ୟାହ୍ନର ଭୋକଟା ତାର ପତିଆରା ବିସ୍ତାର କରୁଥାଏ। ଘରେ ତ କିଛି ପ୍ରସ୍ତୁତ ହୋଇ ନଥିବ। ଆଉ ଘରଣୀଙ୍କ ରାଗକୁ ସାମ୍ନା କରିହେବନି। ବରଞ୍ଚ ଏଇ ପାଖ ରେସ୍ତୋରାଁରୁ କିଛି ଖାଦ୍ୟ କିଣିନେବା ହିଁ ଭଲହେବ।

ରେସ୍ତେରା ପାଖରେ ପହଞ୍ଚି ଦେଖିଲି ବେଶ ଭିଡ଼। ଏବେ ଅର୍ଡ଼ର୍ ପାଉ ପାଉ ଖୁବ ଡେରି ହେବ। ଆଉ କେଉଁ ଏକ ରେଷ୍ଟୁରାଣ୍ଟ ଖୋଜିବାକୁ ତର ନାହିଁ। ଭୋକ ପ୍ରବଳ ହେଲାଣି। ଆଜି ପେଟ୍ରୋଲ ବଞ୍ଚାଇବା ଏବଂ ବ୍ୟାୟାମ କରିବା ଏଇ ବୋଧରେ ସ୍କୁଟି ବଦଳରେ ସାଇକେଲଟିକୁ ଆଣିଥିବାରୁ ଆହୁରି ରାଗ ଲାଗୁଥିଲା ନିଜ ଉପରେ।

କଣ କରିବି ଭାବୁଥିଲି ଅଚାନକ ଫୋନ ରିଙ୍ଗ ହେଲା। ସେପଟୁ ସୁଜାତାଙ୍କ ସ୍ୱର। ହଇଓ! କୁଆଡ଼େ ଗଲ? ଏଣେ ଘିଅ ଭାତ ଥଣ୍ଡା ହେବାକୁ ବସିଲାଣି। ଜଲ୍ଦି ଆସ। ଭାରି ଭୋକ ଲାଗିଲାଣି।

ମୋ ପ୍ରାଣରେ ଭାବର ଗୋଟେ ଅଦୃଶ୍ଯ ଶକ୍ତି ସଞ୍ଚାର ହୋଇଗଲା ଯେମିତି। ସାଇକେଲ ଟା ଗଡୁ ତ ନଥାଏ ବରଂ ଡେଣାଲଗା ପକ୍ଷୀ ଟେ ପରି ଉଡି ଚାଲିଥାଏ ବସା ମୁହାଁ ।


ସୁପ୍ତି କର
ଜେ. ଏନ ଲେନ
ଡେଲି ମାର୍କେଟ
ରାଉରକେଲା
ମୋ:-୯୪୩୮୩୯୩୮୩୮


Share it

Join the Conversation

4 Comments

  1. ବହୁତ ସୁନ୍ଦର ଲେଖାଟିଏ। ଏତେ ଅଧିକ ଏଡିଟ୍ କରିବାକୁ ପଡ଼ିଲା ନାହିଁ। ସୁନ୍ଦର ସାଜସଜ୍ଜା

  2. ଗପଟି ବଢ଼ିଆ ହୋଇଛି।
    ସୁପ୍ତି ଭଉଣୀଙ୍କ ଗପରେ କିଛି ନା କିଛି ନିଆରାପଣ ଥାଏ।ଏଇ ଗପରେ ବି ପାଇଲି। ହେଲେ ଗପକୁ ଚାହିଁ ଶୀର୍ଷକ ମନକୁ ପାଇଲାନି।

Leave a comment

Your email address will not be published. Required fields are marked *

Verified by MonsterInsights