ଯଦୁନଗରେ ନାରୀ ଯେତେ, ମିଳିଲେ ଦୂର୍ବାଙ୍କୁର ହସ୍ତେ …

Share it

13th July 2024

ଅସୁର ଘରେ କାମସତୀ,
ମାୟାମୋହନେ ମାୟାବତୀ ।।
ନିତ୍ୟେ କନ୍ୟାଏ ଜାତ କରେ
ଶମ୍ବର ତାକୁ ଭୋଗ କରେ

ପୂର୍ବ କାଳରେ ବଜ୍ରାଙ୍ଗ ବୋଲି ଏକ ଅସୁର ଥିଲା । ପୁତ୍ରଟିଏ ପାଇବାପାଇଁ ସେ ବ୍ରହ୍ମାଙ୍କୁ କଠୋର ତପ କଲା । ତା ତପସ୍ୟାରେ ସନ୍ତୁଷ୍ଟ ହୋଇ ବ୍ରହ୍ମା ଦିନେ ଆସି ବର ଯାଚିଲେ । ଦୈତ୍ୟ ବଜ୍ରାଙ୍ଗ ତାଙ୍କ ଠାରୁ ବର ସ୍ୱରୂପ, ବୀର ଓ ଅଜେୟ ପୁତ୍ରଟିଏ ଚାହିଁଲା । ବ୍ରହ୍ମା “ତଥାସ୍ତୁ”କହି ବଜ୍ରାଙ୍ଗକୁ ଆଶୀର୍ବାଦ କଲେ ।

ପୁଣି ବଜ୍ରାଙ୍ଗ ବ୍ରହ୍ମାଙ୍କୁ କହିଲା, ମୋର ସେହି ପୁତ୍ରଟି ଅମର ହେଉ, ଏହି ବର ଦିଅନ୍ତୁ । ବେଦ ପତି ବ୍ରହ୍ମା କହିଲେ, କୌଣସି ପ୍ରାଣୀଙ୍କୁ ଅମର ବର ଦେବାର କ୍ଷମତା ମୋର ନାହିଁ, କିନ୍ତୁ ମୁଁ ତତେ ବର ଦେଉଛି, ତୋ’ର ସେହି ପୁତ୍ରକୁ ମାତ୍ର ସାତ ଦିନର ଶିଶୁଟିଏ ମାରି ପାରିବ ନହେଲେ ଆଉ କେହି ମାରି ପାରିବେ ନାହିଁ । ବ୍ରହ୍ମାଙ୍କ ବରରୁ କାଳକ୍ରମେ ତା’ର ପୁଅଟିଏ ହେଲା । ତା’ ନାମ ହେଲା ତାରକାସୁର।

ତପସ୍ୟା ବଳରେ ବଳୀୟାନ ହୋଇ ତାରକ କ୍ରମେ ଖୁବ୍ ପରାକ୍ରମୀ ହୋଇଉଠିଲା । ଉତ୍ପିଡ଼ିତ ଦେବତା ମାନେ ତାରକର ନିଧନଉପାୟ ଚିନ୍ତାକରି ଜାଣିଲେ ଶିବଙ୍କ ଅଂଶରେ ଦିବ୍ୟ ଶିଶୁଟିଏ ଜନ୍ମ ହେଲେ ସେ ଯାଇ ତାରକାସୁରକୁ ସଂହାର କରିବ ।

ସେତେ ବେଳକୁ ଦକ୍ଷ ଯଜ୍ଞରେ ଶିବଙ୍କ ପତ୍ନୀ ସତୀ ଆତ୍ମାହୁତି ଦେଇ ସାରିଥିଲେ । ଏଣୁ ଶିବ ପତ୍ନୀହରା ହୋଇ ଏକାକୀ ଏକନିଷ୍ଠ ତପସ୍ୟାରେ ମଗ୍ନ ଥିଲେ । ଏଣେ ଦକ୍ଷ ଯଜ୍ଞରେ ଝାସ ଦେଇଥିବା, ମାଆ ସତୀ ପୁନର୍ବାର ପିତା ହିମାଳୟ ଓ ମାଆ ମେନାଙ୍କ କନ୍ୟା ଭାବେ ପାର୍ବତୀ ରୂପରେ ଜନ୍ମ ହୋଇ ସାରି ଥିଲେ । ପାର୍ବତୀ ମଧ୍ୟ ମହାଦେବଙ୍କୁ ପତିରୂପେ ଲାଭକରିବା ପାଇଁ ଅଖଣ୍ଡ ତପସ୍ୟା ଆରମ୍ଭ କରି ଦେଇଥାନ୍ତି ।

କେତେ ସହସ୍ର ବର୍ଷ ବିତିଗଲା, ଶଙ୍କର ପାର୍ବତୀଙ୍କ ନିର୍ବିକଳ୍ପ ତପସ୍ୟା ଭଙ୍ଗ ହେଲା ନାହିଁ । ଦେବତାଙ୍କ ମଧ୍ୟରେ ଭାଳେଣି ପଡ଼ିଗଲା, ଏହି ଘୋର ତପସ୍ୟା ଭଗ୍ନ ନ ହେଲେ, ହର ପାର୍ବତୀଙ୍କ ମିଳନରୁ ତାରକ ନିଧନକାରୀ ପୁତ୍ର ସମ୍ଭବ ହେବ କିପରି ? ଶଙ୍କରଙ୍କ ତପସ୍ୟା ଭଙ୍ଗ କରିବାକୁ ପଡ଼ିବ । ଦେଵଗଣ ଚିନ୍ତା କରି, କାମଦେବଙ୍କୁ ଶିବଙ୍କ ତପସ୍ୟା ଭଙ୍ଗ କରିବା ଦାୟିତ୍ୱ ଦେଲେ ।

କାମଦେବ ତାଙ୍କ ପଞ୍ଚଶର ପ୍ରୟୋଗ କରି, ଶିବଙ୍କ ତପ ଭଙ୍ଗ କରିବାରେ ସଫଳ ହେଲେ । ମାତ୍ର ସେ ମହାଦେବଙ୍କ ତୃତୀୟ ନୟନ କ୍ରୋଧାନଳରେ ଭସ୍ମ ହେଲେ ।

କନ୍ଦର୍ପ ଭସ୍ମ ହେବା ପରେ ରତି ଦେବୀଙ୍କୁ ଶମ୍ବରାସୁର ନାମକ ଏକ ଦୈତ୍ୟ ହରଣ କରିନେଲା । ଶମ୍ବରାସୁର ପୁରରେ ରତି ମାୟାବତୀ ନାମ ଧରି ରହିଲେ । ସେ ପ୍ରତ୍ୟହ ଗୋଟିଏ କନ୍ୟା ଜାତ କରନ୍ତି । ଅସୁର ତାଙ୍କୁ ନେଇ ଭୋଗ କରେ ।

ଅସୁର ଘରେ କାମସତୀ
ମାୟାମୋହନେ ମାୟାବତୀ ।।
ନିତ୍ୟେ କନ୍ୟାଏ ଜାତ କରେ
ଶମ୍ବର ତାକୁ ଭୋଗ କରେ ।।

କାମଦେବ ଅନେକ ଦିନ ପରେ ଦ୍ୱାପର ଯୁଗରେ, ଭଗବାନ୍ ଶ୍ରୀକୃଷ୍ଣଙ୍କ ପୁତ୍ର ଭାବେ ଜନ୍ମଲାଭ କଲେ, ଦେବୀ ରୁକ୍ମିଣୀଙ୍କ ଗର୍ଭରୁ । ତାଙ୍କ ନାମ ହେଲା, ପ୍ରଦ୍ୟୁମ୍ନ । ପ୍ରଦ୍ୟୁମ୍ନ ଜନ୍ମ ହେବା ପରେ ଦିନେ ଦେବର୍ଷି ନାରଦ, ଯାଇ ଶମ୍ବରାସୁର ପୁରରେ ପହଞ୍ଚି ତା କାନରେ ଫୋଡ଼ି ଦେଲେ :-
କନ୍ଦର୍ପ ତୋହର ବଇରୀ
ଆଜ ଜନ୍ମିଲା ଯଦୁପୁରୀ ।।
ତୁ ଯାଇ ବେଗେ କର ନାଶ
ସେ ତୋର ମରଣେ ବିଶ୍ୱାସ ।।

ନାରଦଙ୍କ କଥା ଶୁଣି ଶମ୍ବରାସୁର, ମାୟାରୂପ ଧରି ଦ୍ୱାରକାରେ ପହଞ୍ଚିଲା ଓ ରୁକ୍ମିଣୀଙ୍କ ସୂତିକା ଗୃହରୁ ନବଜାତ ଶିଶୁଟିକୁ ଉଠାଇନେଇ ପଳାଇଆସିଲା । ଆକାଶ ମାର୍ଗରେ ଶମ୍ବର ଯାଉ ଥିଲା ବେଳେ ଚିନ୍ତା କଲା, ଆରେ ଇଏ ତ ମୋର ଶତ୍ରୁ । ମୋର ବିନାଶ ଏହାରି ହାତରେ ହେବ ବୋଲି ନାରଦ କହିଗଲେ । ୟାକୁ ମୁଁ କୋଳକରି କଅଣ ନେଇଯାଉଛି । ଏପରି ବିଚାରକରି ଶମ୍ୱର ଶିଶୁଟିକୁ ସମୁଦ୍ର ବକ୍ଷରେ ଫିଙ୍ଗି ଦେଲା । ସେହି ଶିଶୁଟିକୁ ଖାଦ୍ୟ ଭାବି ଏକ ବିରାଟ ରାଘବ ବାଳିଆ ତାକୁ ଗିଳିଦେଲା ।

ଦିନେ କେଉଟ ମାନେ ମାଛ ମାରୁଥାନ୍ତି । ବାଳିଆଟି ତାଙ୍କ ଜାଲରେ ପଡ଼ିଲା । ଏତେବଡ଼ ମାଛ, ଜାଲରୁ ବାହାର କରି କେଉଟ ମାନେ ସେହି ମାଛକୁ ନେଇ ଶମ୍ବରାସୁରକୁ ଉପହାର ଦେଲେ । ଶମ୍ବରାସୁର ଖୁବ୍ ଖୁସି ହୋଇ ମାଛକୁ ତା ସୂପକାରକୁ ଦେଇ କହିଲା, ଏହାକୁ ରନ୍ଧନକର । ସୂପକାର ମାଛଟିକୁ କାଟୁଛନ୍ତି ଦେଖିଲେ ମାଛ ପେଟ ଭିତରେ ଜୀଅନ୍ତା ଶିଶୁଟିଏ । ସେ ଶିଶୁଟିକୁ ନେଇ ଶମ୍ବରାସୁରକୁ ଦେବାରୁ ଶମ୍ବର କହିଲା, ଭଲ ହେଲା, ମୋର ତ ପିଲାପିଲି ନାହାଁନ୍ତି ମୁଁ ଏହାକୁ ମୋର ପୁତ୍ରକରି ପାଳିବି । ସେ ପିଲାଟିକୁ ନେଇ ମାୟାବତୀକୁ ଦେଇ ନିଜ ମନକଥା କହିଲା । ମାୟାବତୀ ପୁତ୍ରଟିକୁ ପାଇ ଆନନ୍ଦ ହେଲେ ଓ ତାକୁ ଯତ୍ନରେ ପାଳିବାକୁ ଲାଗିଲେ ।

ପିଲାଟି ଶମ୍ବରାସୁର ଘରେ ମାୟାବତୀଙ୍କ ଯତ୍ନରେ ଚନ୍ଦ୍ରକଳା ପରି ବଢ଼ିବାକୁ ଲାଗିଲା । ଦିନେ ନାରଦ ମହର୍ଷି ଆସି ଶମ୍ବରାସୁର ଅନ୍ତଃପୁରରେ ପହଞ୍ଚିଲେ । ସେ ମାୟାବତୀଙ୍କୁ ସମସ୍ତ ପୂର୍ବ କଥା କହି କହିଲେ ଏହି ପିଲାଟି ହେଉଛି ତୋ ସ୍ବାମୀ କନ୍ଦର୍ପ । କୃଷ୍ଣଙ୍କ ବୀର୍ଯ୍ୟରେ ସେ ରୁକ୍ମିଣୀଙ୍କ ଗର୍ଭରୁ ପ୍ରଦ୍ୟୁମ୍ନ ରୁପରେ ଜନ୍ମ ହୋଇଛି । ଏହି ପୁତ୍ରହିଁ ଶମ୍ବରାସୁରକୁ ସଂହାର କରି ତୋତେ ଉଦ୍ଧାର କରିବ ।

ପ୍ରଦ୍ୟୁମ୍ନ, କ୍ରମେ ଯୁବାବସ୍ଥାରେ ଉପନୀତ ହେଲେ । ମୁନି ନାରଦଙ୍କଠାରୁ ମାୟାବତୀ ଇଏ ମୋ’ ସ୍ବାମୀ ବୋଲି ତ ଜାଣିଥିଲେ । ଏଣୁ ଦିନେ ସେ କାମ ବଶ ହୋଇ, ପ୍ରଦ୍ୟୁମ୍ନଙ୍କ ନିକଟରେ ପହଞ୍ଚି, ସୁୁରତି ଭିକ୍ଷା କଲେ । ମାତାଙ୍କଠାରେ ବିପରୀତ ଆଚରଣ ଦେଖି ପ୍ରଦ୍ୟୁମ୍ନ କହିଲେ, ତୁମେ ମୋର ନିଜ ମାତା ହୋଇ ଏ ଅନୀତି କରିବା ପାଇଁ, ମୋତେ କହୁଛ କିପରି ।

ପ୍ରଦ୍ୟୁମ୍ନଙ୍କ କଥା ଶୁଣି, ମାୟାବତୀ କହିଲେ, ତୁମେ ହେଉଛ, ମୋ ନିଜ ସ୍ଵାମୀ । ମୁଁ ତୁମର ପତ୍ନୀ ରତି । ପୂର୍ବେ ତୁମେ ଶିବଙ୍କ କୋପରେ ଭସ୍ମହୋଇ ଅନଙ୍ଗ ହୋଇଥିଲ । ଏବେ ଶ୍ରୀକୃଷ୍ଣଙ୍କ ପୁତ୍ର ପ୍ରଦ୍ୟୁମ୍ନ ଭାବେ ଜନ୍ମ ହୋଇଛ । ମୁଁ ଦେବର୍ଷି ନାରଦଙ୍କ ଠାରୁ ଏହା ଜାଣି ପାରିଛି । ଏପରି କହି ମାୟାବତୀ ତାଙ୍କୁ ତାଙ୍କ ଜନ୍ମ ଏବଂ ଶମ୍ବରାସୁର ଦ୍ବାରା ସୁତିକାଗୃହରୁ ହରଣ ହୋଇ ଏଠିକୁ କିପରି ଆସିଲେ ସେକଥା କହିଲେ ।

ସେ ପୁଣି କହିଲେ ମୁଁ ମାୟା ନାମ ଧରି ମାୟାବତୀ ରୂପରେ ଏ ଅସୁରପୁରୀରେ ନିବାସ କରୁଛି । ଏବେ ତୁମେ ଏହି ଦୂର୍ଜୟ ଶତ୍ରୁ ଶମ୍ବରାସୁରକୁ ନିଧନ କରି ମୋତେ ଉଦ୍ଧାର କରି, ଦ୍ଵାରକା ଘେନି ଚାଲ। ତୁମ ଜନନୀ ରୁକ୍ମିଣୀ ସେଠାରେ ତୁମକୁ ଚାହିଁ ବସିଛନ୍ତି । ଏ ବଡ଼ ମାୟାବୀ ଅସୁର । ଏହାକୁ ସଂହାର କରିବା ପାଇଁ, ମୋତେ ମଧ୍ୟ ବହୁ ମାୟା ଜଣା ଅଛି । ତାହା ମୁଁ ତୁମକୁ ଶିଖାଇ ଦେଉଛି ।

ରଜନୀ ପାଇ ପ୍ରଭାତ ହେଲା, ରତିଙ୍କ ଠାରୁ ସମସ୍ତ ମାୟା ବିଦ୍ୟା ଶିକ୍ଷା କରି, ପ୍ରଦ୍ୟୁମ୍ନ ଗଦା ଧରି ଯାଇ ଶମ୍ବରାସୁରକୁ ଯୁଦ୍ଧ ପାଇଁ ଡାକରା ଦେଲେ । ଶମ୍ବର ତାଙ୍କ ସହ ଲଢ଼ିବା ପାଇଁ ବାହାରିଆସିଲା ଓ ପ୍ରଚଣ୍ଡ ଶବ୍ଦ କରି, ତାଙ୍କୁ ଗଦା ପ୍ରହାର କଲା । ପ୍ରବଳ ଯୁଦ୍ଧ ଲାଗିଗଲା, ଦୁହିଁଙ୍କ ମଧ୍ୟରେ । ଶମ୍ବରାସୁରର ସମସ୍ତ ମାୟାକୁ ପ୍ରଦ୍ୟୁମ୍ନ ନିଜର ମାୟା ଶକ୍ତି ଦ୍ୱାରା ବିନାଶ କଲେ । ଶେଷକୁ ପ୍ରଦ୍ୟୁମ୍ନ ଏକ ତୀକ୍ଷ୍ଣ ଖଡ୍ଗ ବାହାର କରି ଅସୁରର ଗଣ୍ଡିରୁ ମୁଣ୍ଡକୁ ଅଲଗା କରିଦେଲେ। ଘଡ଼ଘଡି ଶବ୍ଦକରି ଅସୁର ଭୂମିରେ ଲୋଟିପଡ଼ିଲା । ଦେବତା ମାନେ ସ୍ଵର୍ଗରୁ ପୁଷ୍ପ ବୃଷ୍ଟି କଲେ ।

ପ୍ରଦ୍ୟୁମ୍ନ ରତିଙ୍କୁ ଦିବ୍ୟ ବିମାନରେ ବସାଇ ଦ୍ୱାରକା ପୁରରେ ପହଞ୍ଚିଲେ। କୃଷ୍ଣଙ୍କ ପ୍ରାୟ ପ୍ରଦ୍ୟୁମ୍ନଙ୍କ ରୂପ ଓ ତାଙ୍କ ସାଙ୍ଗରେ ଜଣେ ସୁନ୍ଦର ରମଣୀଙ୍କୁ ଦେଖି ସମସ୍ତେ କୁହାକୁହି ହେଲେ,ଏ ଦିବ୍ୟସୁନ୍ଦର ଯୁବକ କିଏ । କିଏ ଏହାର ପିତାମାତା । କେଉଁଠୁ ଆସିଲା ଏହି ଯୁବକ ।

ରୁକ୍ମିଣୀଦେବୀ ନିଜ ପୁତ୍ର କଥା ଭାଳି ହେଉଥାନ୍ତି, ଏହି ସମୟରେ ମହର୍ଷି ନାରଦ ପହଞ୍ଚି ସମସ୍ତ ବୃତ୍ତାନ୍ତ କହି ଦେଲେ । ସମସ୍ତଙ୍କ ଭ୍ରମ ଦୂର ହେଲା । ରୁକ୍ମିଣୀ ପୁତ୍ରକୁ କୋଳରେ ବସାଇ ଚୁମ୍ବନ ଦେଲେ ।ନାରଦ ହରିଧ୍ୱନୀକରି ଦ୍ଵାରକାରୁ ପ୍ରସ୍ଥାନ କଲେ । ଦ୍ବାରାବତୀ ପୁରରେ ଆନନ୍ଦ ଖେଳି ଗଲା । ମଙ୍ଗଳ ବାଦ୍ୟ ବାଜି ଉଠିଲା । ପୁରବାସୀ ସମସ୍ତେ କୃଷ୍ଣ ପୁତ୍ର ପ୍ରଦ୍ୟୁମ୍ନ ଓ ପୁତ୍ରବଧୂ ରତିଙ୍କୁ ବନ୍ଦାପନା କରି ଅନ୍ତଃପୁରକୁ ଘେନିଗଲେ ।

ଦ୍ୱାରକା ପୁରୀରେ ସେହି ମୁହୂର୍ତ୍ତକୁ ସୁନ୍ଦର ଭାବେ ଅତିବଡ଼ି ଜଗନ୍ନାଥ ଦାସ ଶ୍ରୀମଦ୍ଭାଗବତ, ଦଶମ ସ୍କନ୍ଧ, ଅଣଷଷ୍ଠୀତମ ଅଧ୍ୟାୟରେ ବର୍ଣ୍ଣନା କଲେ :-
ଦେବକୀ ଦେବୀ ବସୁଦେବ
ଥିଲେ ଯେ ଶ୍ରୀରାମ ମାଧବ ।।
ଯଦୁନଗରେ ନାରୀ ଯେତେ
ମିଳିଲେ ଦୂର୍ବାଙ୍କୁର ହସ୍ତେ ।।
ଅକ୍ଷତ ଦେଇ ପୁତ୍ର ଶିରେ
ମଙ୍ଗଳ କଲେ ଉଚ୍ଚସ୍ଵରେ ।।

🙏🙏🙏

ଅର୍ଜୁନୀ ଚରଣ ବେହେରା
ମୋ -7693091971


Share it

Leave a comment

Your email address will not be published. Required fields are marked *

Verified by MonsterInsights