ନଳିନୀକାନ୍ତଙ୍କ ମନରେ ବ୍ରାହ୍ମଣର ଅଭିମାନ, ଛୋଟବଡ, ଉଚ୍ଚ ନୀଚ, ସ୍ପୃଶ୍ୟ ଅସ୍ପୃଶ୍ୟ ଭାବ ପ୍ରଭୃତି ଭେଦବୁଦ୍ଧି ନଦେଖି ଓ ନାନାପ୍ରକାର ଅସାମାଜିକ ବ୍ୟବହାର ଦର୍ଶନ କରି ଭୁବନମୋହନ ବଡ଼ ଭୟଭୀତ ହୋଇପଡିଲେ। ପୁତ୍ରର ଏପରି ଉଦାର ଭାବ ଦର୍ଶନ କରି ପିତା ତାକୁ ବିବାହ ଦେବାକୁ ସ୍ଥିର କଲେ ।
ପରମହଂସ ଶ୍ରୀ ନିଗମାନନ୍ଦ : ଭାଗ – ୩
ନିଗମାନନ୍ଦଙ୍କ ବାଲ୍ଯ ଚରିତ୍ର :
ନଳିନୀକାନ୍ତ ଗ୍ରାମ ସ୍କୁଲରେ ବିଦ୍ୟାଭ୍ୟାସ କରିବା ସମୟରେ ତାଙ୍କର ତୀକ୍ଷ୍ଣ ବୁଦ୍ଧି ଓ ପ୍ରତିଭାର ପରିଚୟ ମିଳିଥିଲା । ସେ ନିଜର ସମ ବୟସ ପିଲାଙ୍କ ଉପରେ କତ୍ତୃତ୍ଵ କରନ୍ତି । ସମୟ ସମୟରେ ଏପରି କଥାମାନ କହନ୍ତି ଯେ , ବୃଦ୍ଧମାନେ ମଧ୍ୟ ନିରୁତ୍ତର ହୋଇଯାନ୍ତି।
ଅଦ୍ଭୁତ ସ୍ବପ୍ନ
ନଳିନୀକାନ୍ତ ପିଲାଦିନେ ପ୍ରାୟ ଅନେକଥର ଗୋଟିଏ ପ୍ରକାରର ସ୍ବପ୍ନ ଦେଖୁଥିଲେ। ସ୍ଵପ୍ନରେ ସେ ଦେଖନ୍ତି ଯେ,ନିଜ ବିଛଣାରେ ଘରେ ଶୋଇଛନ୍ତି, ଜାଣେ ମହାପୁରୁଷ ତାଙ୍କୁ ଡାକୁଛନ୍ତି। ସେ କେବଳ ତାଙ୍କର ଶବ୍ଦ ଶୁଣି ପାରୁଛନ୍ତି; ମାତ୍ର ତାଙ୍କୁ ଦେଖିପାରୁ ନାହାଁନ୍ତି। ତାପରେ ଡାକ ଶୁଣି ବିଛଣାରୁ ଉଠି ତାଙ୍କ ସାଙ୍ଗରେ ଯିବାକୁ ଆରମ୍ଭ କରନ୍ତି । ଯାଉ ଯାଉ ଏପରି ଗୋଟିଏ ସ୍ଥାନରେ ପହଞ୍ଚନ୍ତି ଯେ ,ସେଠାରେ ଆଲୋକ କି ଅନ୍ଧକାର କିଛି ନାହିଁ । ଚନ୍ଦ୍ରପକ୍ଷ ରାତିରେ ମେଘ ଘୋଡାଇଥିଲେ ଯେପରି ଦିଶେ ,ସେହିପରି ଦେଖାଯାଉଥାଏ । କେତେକ ଦୂର ଯିବା ପରେ ଗୋଟିଏ ପୁଷ୍କରିଣୀ ଓ ପୁଷ୍କରିଣୀ ଭିତରେ ଗୋଟିଏ ପଦ୍ମ ଦେଖିବାକୁ ପାଆନ୍ତି । ଉକ୍ତ ମହାପୁରୁଷ ସେହି ବିକଶିତ ପଦ୍ମ ଭିତରେ ଠିଆ ହୋଇ କ୍ରମଶଃ ଉର୍ଦ୍ଧ୍ୱ କୁ ଉଠିଯାଉଥିବାର ଦେଖନ୍ତି ଓ ତାପରେ ଅନୁଭବ କରନ୍ତି ଯେ ସେ ନିଜ ମଧ୍ୟ ତାଙ୍କ ସହିତ ଗୋଟିଏ ସୁତାରେ ବନ୍ଧା ହୋଇଛନ୍ତି । ମହାପୁରୁଷଙ୍କ ଉର୍ଦ୍ଧ୍ବ ଗତି ସଙ୍ଗେ ସଙ୍ଗେ ନଳିନୀକାନ୍ତ ମଧ୍ୟ ଟାଣି ହୋଇ ଉର୍ଦ୍ଧ୍ବକୁ ଉଠି ଯାଉଥାନ୍ତି। ଏହିପରି ଅନେକ ଉଚ୍ଚକୁ ଉଠିଯିବା ପରେ ଉକ୍ତ ମହାପୁରୁଷ ଯୋଗସୂତ୍ରଟିକୁ ମଝିରୁ କାଟି ଦିଅନ୍ତି । ନଳିନୀକାନ୍ତ ଗୁଡ଼ିପରି ବୁଲି ବୁଲି ଆସି ତଳେ ପଡ଼ିଯିବା ସମୟରେ ଭୟରେ ନିଦ୍ରା ଭାଙ୍ଗି ଯାଏ ।
ଏହା ବ୍ୟତୀତ ଶ୍ରୀ ଶ୍ରୀ ଠାକୁର ମଧ୍ୟେ ମଧ୍ୟେ ଆଉ ଗୋଟିଏ ସ୍ବପ୍ନ ଦେଖନ୍ତି। ସେହି ସ୍ଵପ୍ନରେ ଜାଗ୍ରତା କୁଣ୍ଡଳିନୀ ଶକ୍ତି ବ୍ରହ୍ମରନ୍ଧ୍ର ଭେଦକରି ଯେପରି ତଦୁର୍ଦ୍ଧ୍ବ ଭବଲୋକରେ ଉପନୀତ ହୋଇଛନ୍ତି , ତାଙ୍କର ଏହିପରି ମନେହୁଏ; କିନ୍ତୁ କିପରି ଫେରିବେ ସେ କଥା ଭାବି ତାଙ୍କର ଭୟ ହେବା ମାତ୍ରକେ ସ୍ବପ୍ନ ଟି ଭାଙ୍ଗିଯାଏ । ଏଠାରେ ଏତିକି ବିଶେଷତ୍ଵ ଲକ୍ଷ୍ୟ କରିବାର କଥା ଯେ ,ଯେତେବେଳେ ସେ ଏହି ସ୍ବପ୍ନ ଦେଖୁଥିଲେ ସେତେବେଳେ କୁଣ୍ତଳିନୀ କିମ୍ବା ଚକ୍ରାଦି ସମ୍ବନ୍ଧରେ ତାଙ୍କର କୌଣସି ଧାରଣା ନଥିଲା । ପରେ ସାଧନା ସମୟରେ ତତ୍ତ୍ଵ ବୁଝିବା ପରେ ସେ ଏହି ସ୍ଵପ୍ନବୃତ୍ତାନ୍ତ ବ୍ୟକ୍ତ କରିଥିଲେ।
ଧର୍ମ ସଂସ୍କାର
ନଳିନୀକାନ୍ତ ଗ୍ରାମ୍ୟ ସ୍କୁଲରେ ପଢା ଶେଷ କରି ମେହରପୁର ଉଚ୍ଚ ଇଂରାଜୀ ବିଦ୍ୟାଳୟରେ ଅଧ୍ୟୟନ କରିବାକୁ ଲାଗିଲେ। ଉପନୟନ ପରେ ତାଙ୍କର ଧର୍ମ ପ୍ରବୃତ୍ତି ପ୍ରବଳ ହୋଇଉଠିଲା । ସେ ରୀତିମତ ସନ୍ଧ୍ୟା, ଆହ୍ନିକ ଓ ଦେବ – ଦେବୀଙ୍କର ସ୍ତବ କବଚ ପାଠ କରିବା ଆରମ୍ଭ କରିଦେଲେ । ସେ ରାମାୟଣ ଓ ମହାଭାରତ ପଢ଼ୁ ପଢ଼ୁ କାନ୍ଦି ଆକୁଳ ହୋଇପଡ଼ନ୍ତି । ସନ୍ତାନର ଏହି ସବୁ ଧର୍ମଭାବର ଲକ୍ଷଣ ଦେଖି ସ୍ନେହମୟୀ ମା’ ଧର୍ମ ପୁସ୍ତକ ସବୁ ଗୋପନ କରିଦିଅନ୍ତି ଓ ପୁତ୍ରକଥା ଭାବି ବଡ଼ ବ୍ୟାକୁଳ ହୋଇପଡ଼ନ୍ତି ।
ସହଜାତ ସଂସ୍କାର
ଦରିଆପୁରରେ ବିଦ୍ୟାଭ୍ୟାଷ କରିବା ସମୟରେ ନଳିନୀକାନ୍ତଙ୍କ ଚରିତ୍ରରେ ଗୁରୁତର ପରିବର୍ତ୍ତନ ହେବାକୁ ଲାଗିଲା । ଆଭିଜାତ୍ୟର ଅଭିମାନ, ହୃଦୟର ସଂକୀର୍ଣ୍ଣତା ନଳିନୀକାନ୍ତଙ୍କ ମନରୁ କ୍ରମଶଃ ଅନ୍ତର୍ନିହିତ ହୋଇଗଲା ।
ଦିନେ ଜାଣେ ବିଜାତୀୟ ପଥିକ ଗ୍ରାମରେ ମରିଗଲା; କିନ୍ତୁ ତାଙ୍କୁ ସଂସ୍କାର କରିବାକୁ କେହି ବାହାରିଲେ ନାହିଁ। ଏହାଦେଖି ନଳିନୀକାନ୍ତ ନିଜେ ତାହା ସମ୍ପନ୍ନ କରିବା ପାଇଁ ଅଗ୍ରସର ହେବାରୁ ଅନ୍ୟାନ୍ୟ ଲୋକ ଆସି ତାଙ୍କୁ ସାହାଯ୍ଯ କଲେ ।
ଯଦି ଗ୍ରାମ ବିବାଦ ହେତୁ କେହି ବାସନ୍ଦ ହେଲା, ନଳିନୀକାନ୍ତ ସର୍ବାଗ୍ରେ ତା ଘରେ ନିମନ୍ତ୍ରଣରେ ଭୋଜନ କରି ଆସିଲେ । ଗ୍ରାମର ବୃଦ୍ଧଗଣ କୌଣସି କାରଣରୁ ଦଳ ବାନ୍ଧିଲେ ଦଳାଦଳିର କାରଣ ଯେପରି ଭାଙ୍ଗିଯିବ, ନଳିନୀକାନ୍ତ ତାହାର ଉପାୟ ଉଦ୍ଭାବନ କରି ଦଳ ଭାଙ୍ଗିଦେଉଥିଲେ। ଯୁବକମାନଙ୍କ ନୈତିକ ଚରିତ୍ର ହାନିକର କଳଙ୍କ କଥା କାନରେ ପଡ଼ିଲାମାତ୍ରେ ସେ ସେମାନଙ୍କ ବିରୁଦ୍ଧରେ ବାହାରି ଯେପରି ଉପାୟରେ ସେମାନେ ଶାସ୍ତି ପାଇବେ, ତାର ବିଧାନ କରୁଥିଲେ ।
ଏହି ଅନ୍ୟାୟର ପ୍ରତିକାର କରିବାକୁ ଯାଇ ସେ ହିତାହିତ ଜ୍ଞାନଶୂନ୍ୟ ହୋଇ ଯାଉଥିଲେ ଓ ସମୟ ସମୟରେ ଏପରି କାର୍ଯ୍ୟ କରିପକାଉଥିଲେ ଯେ, ସେଥିପାଇଁ ଆତ୍ମୀୟ – ସ୍ୱଜନମାନଙ୍କୁ ବଡ଼ ଉଦବେଗ ଭୋଗ କରିବାକୁ ପଡୁଥିଲା ।
ଉପରୋକ୍ତ ଘଟଣାବଳୀ ମଧ୍ୟରେ ଜନୈକ କୁଳବଧୂଙ୍କ ଶାସନ କରିବାର ଘଟଣାଟି ବଡ଼ କୌତୁହଳପ୍ରଦ । ଶ୍ରୀ ଶ୍ରୀ ନିଗମାନନ୍ଦ ଜୀବନ ପ୍ରସଙ୍ଗ ପ୍ରଥମ ଭାଗରେ ଘଟଣାଟିର ବିଶଦ ବିବରଣୀ ବର୍ଣ୍ଣିତ ହୋଇଛି । ନଳିନୀକାନ୍ତ ଭୈରବ ନଦୀକୁ ସ୍ନାନ କରିବାକୁ ଯାଇଥିଲେ। ସ୍ନାନ କରି ଫେରିଆସିବା ସମୟରେ ଦେଖିଲେ ଯେ ତାଙ୍କ ଗୃହର ଅଦୂରବର୍ତ୍ତୀ ପାଳମାନଙ୍କ ସାହିରେ ଗୋଳମାଳ ହେଉଛି। ସେଠାରେ ବହୁ ଲୋକ ଭିଡ ଜମାଇଛନ୍ତି। ନଳିନୀକାନ୍ତ ଘଟଣାସ୍ଥଳରେ ଉପସ୍ଥିତ ହୋଇ ଦେଖିଲେ ଯେ ଉକ୍ତ ଗୃହର ବୋହୂଟିଏ ତାର ଶାଶୁଙ୍କୁ ଧରି ପ୍ରହାର କରୁଛି । ସମସ୍ତେ ଛିଡା ହୋଇ କେବଳ କୌତୁକ ଦେଖୁଛନ୍ତି। କେହି କିଛି ପ୍ରତିକାର କରୁନାହାନ୍ତି। ବୃଦ୍ଧାଙ୍କର ଅବସ୍ଥା ଦର୍ଶନ କରି ନଳିନୀକାନ୍ତଙ୍କର ଆଉ ହିତାହିତ ଜ୍ଞାନ ରହିଲା ନାହିଁ । ସେ ନିଜ ପାଦରୁ ଜୋତା ଖୋଲି ସେଥିରେ ବୋହୂକୁ ଆପାଦମସ୍ତକ ପ୍ରହାର କରି ବୃଦ୍ଧାଙ୍କୁ ରକ୍ଷା କଲେ ।ଏହି ଘଟଣାରେ ଗ୍ରାମରେ ଖୁବ୍ ଆନ୍ଦୋଳନ ହୋଇଥିଲା । କିନ୍ତୁ ଶେଷରେ ସମସ୍ତେ ଏକମୂଖି ସ୍ଵୀକାର କଲେ ଯେ ” ନଳିନୀକାନ୍ତ ତ କିଛି ଆନ୍ୟାୟ କରିନାହିଁ !! ସେ ବରଂ ନ୍ୟାୟ ଓ ସତ୍ୟର ପକ୍ଷ ଗ୍ରହଣ କରି ଅନ୍ୟାୟର ପ୍ରତିକାର କରିଛି ।”
ନଳିନୀକାନ୍ତଙ୍କ ମନରେ ବ୍ରାହ୍ମଣର ଅଭିମାନ, ଛୋଟବଡ, ଉଚ୍ଚ ନୀଚ, ସ୍ପୃଶ୍ୟ ଅସ୍ପୃଶ୍ୟ ଭାବ ପ୍ରଭୃତି ଭେଦବୁଦ୍ଧି ନଦେଖି ଓ ନାନାପ୍ରକାର ଅସାମାଜିକ ବ୍ୟବହାର ଦର୍ଶନ କରି ଭୁବନମୋହନ ବଡ଼ ଭୟଭୀତ ହୋଇପଡିଲେ। ପୁତ୍ରର ଏପରି ଉଦାର ଭାବ ଦର୍ଶନ କରି ପିତା ତାକୁ ବିବାହ ଦେବାକୁ ସ୍ଥିର କଲେ । ( କ୍ରମଶଃ …)
ପରମହଂସ ଶ୍ରୀ ଶ୍ରୀ ଠାକୁର ନିଗମାନନ୍ଦ
ଲେଖକ – ୰ ବନମାଳୀ ଦାସ ଓ ଦୁର୍ଗାଚରଣ ମହାନ୍ତି