ଲାଞ୍ଜରେ ବୃଷଭ ଛୁଆ ପ୍ରସବଇ
ବୁଝା ଯୋଗୀନ୍ଦ୍ର ଗୋସାଇଁ
ଆହୁରି କଥାଏ ଶୁଣହେ ଉଦ୍ଧବ
ତିଳ ଚୋପା ପ୍ରାୟ ବାଟ
କିଏ ବା ପଶିବ ଏ ଛୋଟିଆ ବାଟେ
ଲାଗେ ଏଗାର କବାଟ
ଏଗାର କବାଟ ଲାଗିଛି ଉଦ୍ଧବ
ଅର୍ଗଳୀ ପଡିଛି ଯହିଁ
ସ୍ୱର୍ଣ୍ଣପେଟିକାରେ ବତକ ଖେଳଇ
ଶମନ ଧରିବ କାହିଁ
କଥାଏ କହିବି ଉଦ୍ଧବ ମୁଁ ତୋତେ
ଆସିଲୁ ଯେବେ ତୁ ଘର
ବିଚାରି ଥିଲେ ତ କହିଥାନ୍ତା ଏକା
ଦିନ ଅବନ୍ତୀ ଈଶ୍ୱର
ଆମ୍ଭ ସଉତୁଣି ଅଟଇ ତ ସେହି
ନିତ୍ଯ ଲଗାଇ କଜିଆ
କୃପାଜଳ ରୂପେ ସତ୍ଯ ଯୁଗେ ସେହି
ସାଧୁଥିଲା ଠିଆ ଠିଆ
ଆହୁରି କଥାଏ ଶୁଣ ହେ ଉଦ୍ଧବ
ସୁବଳ ଗାଈ ଚରାଇ
ବିଷ୍ଣୁପଦ ବାଟେ ନିତ୍ଯ ପ୍ରସବଇ
ତାହାକୁ ସେହି ଦେଖଇ
ଆହୁରି କଥାଏ କହିବି ଉଦ୍ଧବ
ମୋ ଘରେ ଷଣ୍ଢେକ ଥିଲା
ତିନିଦିନେ ଥରେ ମୋ ଘରେ ରହିବା
ବତ୍ସା ଏକ ପ୍ରସବିଲା
ଗାଈମାନେ ତାକୁ ଶୃଙ୍ଗାର କରନ୍ତି
ବୃଷଭର ଯୋନି କାହିଁ
ଲାଞ୍ଜରେ ବୃଷଭ ଛୁଆ ପ୍ରସବଇ
ବୁଝା ଯୋଗୀନ୍ଦ୍ର ଗୋସାଇଁ
ଶୁଣିଣ ଉଦ୍ଧବ ହୋଇ କାନ୍ଦ କାନ୍ଦ
ବୋଇଲା କି ହଇରାଣ
ଭାବୁଥିଲି ମୁହିଁ ଗୋପାଳୁଣି ତୁମ୍ଭେ
ତୁଚ୍ଛ ମୋର ବ୍ରହ୍ମଜ୍ଞାନ
– ମହାପୁରୁଷ ଅଚ୍ଯୁତାନନ୍ଦ
( ବ୍ରହ୍ମଜ୍ଞାନୀ ଉଦ୍ଧବଙ୍କ ଜ୍ଞାନ ଅହଙ୍କାର ଭାଙ୍ଗିବାପାଇଁ ଯଶୋଦାନନ୍ଦନ ଶ୍ରୀକୃଷ୍ଣ ଉଦ୍ଧବଙ୍କୁ ଗୋପପୁରକୁ ପଠାଇଛନ୍ତି ଗୋପ ଗୋପୀମାନଙ୍କୁ ବ୍ରହ୍ମଜ୍ଞାନ ଶିକ୍ଷା ଦେବାପାଇଁ । ଉଦ୍ଧବ ଏବଂ ଗୋପାଳ ଗୋପାଳୁଣିଙ୍କ ମଧ୍ଯରେ ହୋଇଥିବା କଥୋପକଥନକୁ ମହାପୁରୁଷ ଅଚ୍ଯୁତାନନ୍ଦ ତାଙ୍କ ରଚିତ ଗୁଜୁରୀ ରାହାସରେ ଯେପରି ବର୍ଣ୍ଣନା କରିଛନ୍ତି ତାହାର କିୟଦଂଶ ।)