ଛେନାଗୁଡ଼ ମାନେ ଖମ୍ବଆଳୁ

Share it

ନୟାଗଡ଼ ରାଣୀଙ୍କ ସ୍ଵନକ୍ଷତ୍ର ଦିବସ ବଡ଼ ଆନନ୍ଦ ଉଲ୍ଲାସ ମଧ୍ୟରେ ପ୍ରତିବର୍ଷ ପାଳିତ ହୋଇ ଥାଏ । ଉତ୍ସଵପାଇଁ ରାଜ୍ୟ ଚାରିଆଡ଼ୁ ବହୁ ଭେଟିସାମଗ୍ରୀ ଆସି ପହଞ୍ଚେ । ତାଛଡା ଜୋର ଜୁଲମ କରି ବହୁ ପଦାର୍ଥ ରାଜା ସଂଗ୍ରହକରିଥାନ୍ତି । ସୁଯୋଗ ନେଇ ରାଜକର୍ମଚାରୀମାନେ ମଧ୍ୟ ବହୁତ କିଛି ଫାଇଦା ଉଠାଇ ନିଅନ୍ତି । କବି ଯଦୁମଣି ଏ ପ୍ରଥାର ଘୋର ବିରୋଧୀ ଥିଲେ । ହେଲେ ମୁହଁ ଖୋଲି କିଛି କହି ପାରନ୍ତି ନାହିଁ । କଥାରେ କୁହାଯାଏ,’ରାଜା ଖାଏ ତଣ୍ଡି,କେଳା ଖାଏ ଭଣ୍ଡି’। ଗାଁ ସର୍ବରାକାରଙ୍କୁ ଏଥି ପାଇଁ ଯଦୁମଣି ବହୁଥର ବାଧା ଦେଇଥିବାରୁ ବଡ଼ ରାଗ ଥାଏ ତାଙ୍କର ଯଦୁମଣିଙ୍କ ଉପରେ ।

ବର୍ଷେ ରାଣୀଙ୍କ ସ୍ଵ ନକ୍ଷତ୍ର ଅବସରରେ ଯଦୁମଣି ଘରେ ନଥାନ୍ତି ଏ ସୁଯୋଗନେଇ ଗାଁ ସର୍ବରାକାର ଯଦୁମଣି ଚାଷକରିଥିବା ସମସ୍ତ ଖମ୍ବ ଆଳୁ ଗୁଡ଼ିକୁ ଖୋଳି ରାଜବାଟୀ ନେଇଗଲେ । ଆଳୁସବୁ ରାଜା ନେଇ ଯାଇଛନ୍ତି, ଏ ସମ୍ବାଦ ଶୁଣି, ଯଦୁମଣି ଆସି ଘରେ ପହଞ୍ଚିଲେ । ତାଙ୍କୁ ସ୍ତ୍ରୀ ସବୁ ଘଟଣା ବୁଝାଇ କହିଲେ । ଯଦୁମଣି ଶୁଣିକି ନ ଶୁଣିଲାପରି ହୋଇ ପତ୍ନୀଙ୍କୁ କହିଲେ, ହଉ ତେମେ ତେଲ ବୋତଲଟା ଟିକେ ଆଣିଲ ।

ସ୍ତ୍ରୀ ବିରକ୍ତହୋଇ କହିଲେ ଆରେ ତମେ ମୋ କଥା ବୁଝୁଛ ନା ନାହିଁ। ବିରକ୍ତ ହୋଇ ଯଦୁମଣି କହିଲେ, କଣ’ଟା ବୁଝିବି “ଛେନାଗୁଡ଼” । ଏତକ କହି ଯଦୁମଣି ଦେହସାରା ସୋରିଷତେଲ ବୋଳି ହୋଇ ରାଜବାଟି ଆଡ଼େ ଧାଇଁଲେ ।

ରାଜା ଯଦୁମଣିଙ୍କୁ ଏ ଅବସ୍ଥାରେ ଦେଖି କହିଲେ, କ’ଣ ହେଲା କି କବିବର ? ଏପରି ଧାଇଁ ଅସିଛନ୍ତି ଯେ । ଯଦୁମଣି କହିଲେ, ହଜୁର! ଗୋଟିଏ ବଡ଼ ଅନର୍ଥ ହୋଇଗଲା ଆଜ୍ଞା । ଦେଖୁ ନାହାଁନ୍ତି ଗାଧେଇବାକୁ ଯାଉ ଯାଉ ମୁଁ ତରବରରେ ଧାଇଁ ଆସିଛି ।

ଆଜ୍ଞା କଥାଟା କଅଣ କି, ଆମ ବାଡ଼ିପଟେ ଆମେ ଗାତ ଖୋଳି ଝାଡ଼ାବସୁ । ଗାତ ଗୁଡ଼ିକ ଭରିଗଲେ ମାଟି ଭରି ଦେଇ ଖମ୍ବଆଳୁ ସବୁ ଭଲ ଉତୁରିବ ବୋଲି ଲଗାଇ ଦେଉ, ଆଜି ମୁଁ ଘରେ ନଥିବା ଅବସ୍ଥାରେ ଆପଣଙ୍କ କର୍ମଚାରୀ ମାନେ ସେହି ଅପବିତ୍ର ଆଳୁ ଗୁଡ଼ାକ ଖୋଳି ନେଇ ଆସିଛନ୍ତି । ଆପଣଙ୍କ ଶୁଭ କାମରେ କାଳେ ସେ ଆଳୁ ବ୍ୟବହାର ହୋଇଯିବ ସେତିକ ଜଣେଇଦେବାକୁ ଏ ଅବସ୍ଥାରେ ମୁଁ ଧାଇଁ ଆସିଛି । ଆଉ କିଛି ନୁହେଁ ।

ଏକଥା ଶୁଣି, ଯଦୁମଣିଙ୍କୁ ରାଜା ପ୍ରଶଂସା କରିବା ସହ, ତାଙ୍କ ଆଳୁ ଗୁଡ଼ିକ ବାଛି ନେଇ ଯିବା ପାଇଁ କହିଲେ । ଯଦୁମଣି ଏହାର ସୁଯୋଗ ନେଇ ସବୁ ଭଲ ଭଲ ଆଳୁ ଗୁଡ଼ିକ ବାଛିଲେ ଏବଂ ରାଜାଙ୍କ ଶଗଡ଼ରେ ନିଜ ଘରକୁ ପଠାଇଦେଲେ । ଯଦୁମଣି ଘରକୁ ଆସିଲା ବେଳକୁ ଆଳୁ ଶଗଡ଼ ଆସି ତାଙ୍କ ଘରେ ପହଞ୍ଚି ସାରିଥାଏ ।

ସ୍ତ୍ରୀ ଆଳୁ ଶଗଡ଼ ଦେଖି ଆଶ୍ଚର୍ଯ୍ୟ ! ଯଦୁମଣି ଘରେ ପହଞ୍ଚି ସ୍ତ୍ରୀଙ୍କୁ ଖୋଲିକି ସବୁକଥା କହିବାରୁ, ହାସ୍ୟ ରୋଳରେ ଘର ଫାଟି ପଡ଼ିଲା । ସ୍ତ୍ରୀ ହସି ହସି ବେଦମ୍ ହୋଇ କହିଲେ, ମୁଁ ଏବେ ବୁଝି ଗଲି ବୁଝି ଗଲି, ଛେନାଗୁଡ଼ ମାନେ “ଖମ୍ବଆଳୁ ” ।

ଖମ୍ବଆଳୁ ଧରିଲେ ଦେହ କୁଣ୍ଡାଇହୁଏ । ଯଦୁମଣି ଏଣୁ ସର୍ବାଙ୍ଗରେ ସୋରିଷ ତେଲ ବୋଳି ହୋଇ ରାଜବାଟିକୁ ଧାଇଁଥିଲେ ।

🌷🌷🌷

ଅର୍ଜୁନୀ ଚରଣ ବେହେରା
ମୋ -୭୬୯୩୦୯୧୯୭୧


Share it

Join the Conversation

1 Comment

Leave a comment

Your email address will not be published. Required fields are marked *

Verified by MonsterInsights